ପାକିସ୍ତାନ ମିଛର ପର୍ଦ୍ଦାଫାଶ କଲା ଭାରତୀୟ ସେନା! ପ୍ରମାଣ ଦେଖାଇବା ସହ କହିଲା, ସବୁ ପ୍ରକାର ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ

253

କନକ ବ୍ୟୁରୋ : ଆମେ ସବୁ ପ୍ରକାର ପରିସ୍ଥିତି ପାଇଁ ପ୍ରସ୍ତୁତ । ପାକିସ୍ତାନ ସହ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଥିବା ବେଳେ ଏଭଳି ବୟାନ ଦେଇଛନ୍ତି ଭାରତର ବାୟୁସେନା, ସ୍ଥଳସେନା ଓ ନୌସେନା । ୩ ସେନା ପକ୍ଷରୁ ପ୍ରେସମିଟ କରାଯାଇ ପାକିସ୍ତାନ କହି ଆସୁଥିବା ମିଛ ଉପରୁ ପରଦା ଉଠାଯାଇଛି । ଏପରିକି ପାକିସ୍ତାନ ଭାରତକୁ ଏଫ-୧୬ ବିମାନ ପଠାଇଥିବା ସ୍ପଷ୍ଟ କରିଛି ବାୟୁସେନା । ଏନେଇ ରଜୌରୀରୁ ମିଳିଥିବା ଏଫ-୧୬ର ଭଗ୍ନାବଶେଷ ପ୍ରମାଣ ସ୍ୱରୂପ ସାମ୍ନାକୁ ଆଣିଛି ବାୟୁସେନା ।

ଗତ ୨ ଦିନ ମଧ୍ୟରେ ପାକିସ୍ତାନ ୩୫ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ବେଳେ ଗତକାଲି ସକାଳ ୧୦ଟା ସମୟରେ ଭାରତୀୟ ସୁରକ୍ଷା ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଏଫ-୧୬ ବିମାନ ପଠାଇଥିଲା । ତେବେ ଭାରତ ପକ୍ଷରୁ ମିଗ-୨୧, ସୁଖୋଇ ଓ ମିରାଜ-୨୦୦୦ ବିମାନ ଏହାର ମୁକାବିଲା କରିଥିଲେ । ପାକିସ୍ତାନର ଆକ୍ରମଣ ଉଦ୍ୟମକୁ ବାୟୁସେନା ପଣ୍ଡ କରିଥିଲା । ଏହି କାର୍ଯ୍ୟାନୁଷ୍ଠାନ ସମୟରେ ପାକିସ୍ତାନର ଏଫ-୧୬ ବିମାନକୁ ଖସାଇ ଦିଆଯାଇଥିବା ବେଳେ ଭାରତର ମିଗ-୨୧ ବିମାନ ନଷ୍ଟ ହୋଇଥିଲା । ଆଉ ଏଥିରେ ଥିବା ପାଇଲଟ ଜଣକ ପାରାଚ୍ୟୁଟ ଯୋଗେ ପିଓକେରେ ଓହ୍ଲାଇଥିଲେ । ଆଉ ଘଟଣାସ୍ଥଳରୁ ହିଁ ତାଙ୍କୁ ଗିରଫ କରିଥିଲା ପାକିସ୍ତାନ ।

ତେବେ ପାକିସ୍ତାନ ପ୍ରଥମେ ଭାରତର ୨ଟି ବିମାନ ନଷ୍ଟ କରିଥିବା କହୁଥିବା ବେଳେ ୩ ଜଣ ପାଇଲଟଙ୍କୁ ଗିରଫ କରିଥିବା କହିଥିଲା । ପରେ ନିଜର ବୟାନ ବଦଳାଇ ଜଣେ ପାଇଲଟ ତାଙ୍କ ପାଖରେ ଥିବା କହିଥିଲା ପାକିସ୍ତାନ । ଏସବୁ ଭିତରେ ପାକିସ୍ତାନ ଏଫ-୧୬ ବିମାନ ବ୍ୟବହାର କରିନଥିବା ସଫେଇ ଦେଇ ଆସୁଥିଲା । କିନ୍ତୁ ଏହାର ଭଗ୍ନାବେଶଷ ଦେଖାଇ ବାୟୁସେନାର ଅଧିକାରୀ ପାକିସ୍ତାନର ମିଛକୁ ସାମ୍ନାକୁ ଆଣିଛନ୍ତି ।

ଏସବୁ ଭିତରେ ଭାରତ ଏୟାରଷ୍ଟ୍ରାଇକକୁ ନେଇ ବାୟୁସେନାର ଅଧିକାରୀ କହିଛନ୍ତି, ଯେଉଁ ଟାର୍ଗେଟ ନେଇ ଆମେ ଯାଇଥିଲୁ ସେଥିରେ ସଫଳ ହୋଇଛୁ । ତେବେ ଏହାର ପ୍ରମାଣ କେତେବେଳେ ଓ କେଉଁ ପରିସ୍ଥିତିରେ ଦିଆଯିବ ତାହାର ନିଷ୍ପତି ସରକାର ନେବେ ବୋଲି କହିଛନ୍ତି ବାୟୁସେନାର ଅଧିକାରୀ । ଏହାଛଡା ଭାରତୀୟ ପାଇଲଟଙ୍କ ପ୍ରତ୍ୟାବର୍ତ୍ତନ ଖବରରେ ଆମେ ଖୁସି ଅଛୁ ଓ ଏହାର ପରବର୍ତ୍ତୀ ଅବସ୍ଥ୍ାକୁ ଅପେକ୍ଷା କରାଯାଇଛି ବୋଲି କହିଛି ସେନା ।