ଭାରତୀୟ ବାୟୁସେନାର ଅମୋଘ ‘ଅସ୍ତ୍ର’, ଆଖି ପିଛୁଳାକେ ଶତ୍ରୁକୁ କରିବ ନାଶ

ଭାରତୀୟ ବାୟୁସେନାର ଅମୋଘ ‘ଅସ୍ତ୍ର’, ଆଖି ପିଛୁଳାକେ ଶତ୍ରୁକୁ କରିବ ନାଶ

କନକ ବ୍ୟୁରୋ : ଡରିବ ପାକିସ୍ତାନ, ଥରିବ ଡ୍ରାଗନ । ଆକାଶପଥରେ ପରାକ୍ରମ ଦେଖାଇବ ଭାରତୀୟ ବାୟୁସେନା । ହଜିଯିବ ଶତ୍ରୁପକ୍ଷର ନିଦ, ନିମିଷକରେ ହେବ ଶତ୍ରୁ ନିପାତ । କାରଣ ଖୁବଶୀଘ୍ର ଭାରତୀୟ ବାୟୁସେନା ରାଫେଲ ଯୁଦ୍ଧ ବିମାନରେ ଅସ୍ତ୍ର ମିସାଇଲ ସଂଯୋଗ କରିବାକୁ ଯାଉଛି । ଯାହା ଶତ୍ରୁ ଶିବିରରେ ଛନକା ଭରିଛି । ପୂର୍ବରୁ ରାଫେଲ ଯୁଦ୍ଧ ବିମାନରେ ଏମଆଇସିଏ ଆରଏଫ ଓ ଏମଆଇସିଏ ଆଇଆର ମିସାଇଲ ରହିଥିଲା । କିନ୍ତୁ ଏବେ ଏହାକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । କାରଣ ଏହି ମିସାଇଲର ଟାର୍ଗେଟ ରେଞ୍ଜ ୮୦ କିଲୋମିଟର ରହିଥିଲା । ଯାହା ବର୍ତ୍ତମାନର ପରିସ୍ଥିତି ପାଇଁ ଉପଯୋଗୀ ନୁହେଁ । ବାଲାକୋଟ ଏୟାରଷ୍ଟ୍ରାଇକ ସମୟରେ ମିରାଜରେ ଏହି ମିସାଇଲ ଲାଗିଥିଲା । ସୀମିତ ଟାର୍ଗେଟ ରେଞ୍ଜ କାରଣରୁ ଶତ୍ରୁ ପକ୍ଷରୁ ଏଫ-୧୭ ଯୁଦ୍ଧ ବିମାନ ଉପରେ ଆକ୍ରମଣ କରିବାରେ ସମସ୍ୟା ଦେଖାଦେଇଥିଲା । ଯେଉଁଥିପାଇଁ ଏବେ ଅସ୍ତ୍ର ମିସାଇଲକୁ ଆପଣାଇବାକୁ ନିଷ୍ପତ୍ତି ନେଇଛି ଭାରତୀୟ ବାୟୁସେନା ।

ଅସ୍ତ୍ର ମିସାଇଲ ହେଉଛି ବିୟଣ୍ଡ ଭିଜୁଆଲ ରେଞ୍ଜ ଏୟାର-ଟୁ-ଏୟାର ମିସାଇଲ । ଅଥାର୍ତ ଯେଉଁ ଟାର୍ଗେଟ ପର୍ଯ୍ୟନ୍ତ ପାଇଲଟଙ୍କ ନଜର ମଧ୍ୟ ଯାଇନଥାଏ ତାହାକୁ ଠାବ କରି ନିପାତ କରିବାରେ ମାହିର ଅସ୍ତ୍ର ମିସାଇଲ । ବିଡିଏଲ ଏହାକୁ ନିର୍ମାଣ କରିଥିବା ବେଳେ ରାଫେଲ ଯୁଦ୍ଧ ବିମାନରେ ଏହି ଅସ୍ତ୍ର ମିସାଇଲ ସଂଯୋଗ କରାଯିବ । ସେହିଭଳି ଖୁବଶୀଘ୍ର ତେଜସ ଯୁଦ୍ଧ ବିମାନରେ ମଧ୍ୟ ଏହାକୁ ସଂଯୋଗ କରାଯିବ । ଅସ୍ତ୍ର ମିସାଇଲର ବିଭିନ୍ନ ଭାରିଆଣ୍ଟସ ରହିଛି । ଏବେ ଭାରତ ପାଖରେ ଅସ୍ତ୍ରର ଯେଉଁ ମିସାଇଲ ରହିଛି ତାହା ୧୦ରୁ ୧୧୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟ ରେଞ୍ଜକୁ ଭେଦ କରିପାରିବ । ଅସ୍ତ୍ର ଏମକେ-୧ ବିଭିଆରଏଏଏମକୁ ଡିଆରଡିଓ ଡିଜାଇନ କରିଛି । ଏହି ମିସାଇଲ ଫାଇଟର ଜେଟକୁ ଷ୍ଟାଣ୍ଡ ଅଫ୍ ରେଞ୍ଜ ପ୍ରଦାନ କରିଥାଏ । ଷ୍ଟାଣ୍ଡ ଅଫ୍ ରେଞ୍ଜ ଅର୍ଥ ଶତ୍ରୁପକ୍ଷକୁ ମିସାଇଲ ମାଡ କରିବା ସହ ଆକ୍ରମଣରୁ ବର୍ତ୍ତିବା ପାଇଁ ସମୟ ପାଇବା ।

ଅସ୍ତ୍ର ମିସାଇଲ ୧୫୪ କିଲୋଗ୍ରାମର ହୋଇଥିବା ବେଳେ ଏହାର ଲମ୍ବା ୧୨.୬ ଫୁଟ । ସେହିଭଳି ଏହାର ବ୍ୟାସ ୭ ଇଞ୍ଚ ହୋଇଥିବା ବେଳେ ଖର୍ଚ୍ଚ ପାଖାପାଖି ୭ରୁ ୮ କୋଟି ଭିତରେ ରହିଥାଏ । ଆକାଶପଥରୁ ଏହାକୁ ଲଞ୍ଚ କରିବା ପରେ ମଧ୍ୟ ଏହା ୨୦ କିଲୋମିଟର ଉପରେ ଥିବା ଟାର୍ଗେଟକୁ ନଷ୍ଟ କରିପାରିବ । ତେବେ ଅସ୍ତ୍ର ମିସାଇଲ ନିଜର ଗତି ପାଇଁ ସବୁଠୁ ଘାତକ ମିସାଇଲର ପରିଚୟ ପାଇଛି । ମ୍ୟାକ୍ ୪.୫ ଗତିରେ ଏହା ଟାର୍ଗେଟ ଆଡକୁ ବଢିଥାଏ । ଅଥାର୍ତ ଘଣ୍ଟାପ୍ରତି ୫୫୫୬.୬ କିଲୋମିଟର ବେଗରେ ଟାର୍ଗେଟକୁ ଧ୍ୱଂସ କରିଥାଏ ଅସ୍ତ୍ର । ଦ୍ରୁତ ଗତି କାରଣରୁ ଏହାକୁ ରାଡାରରେ ଧରିବା ମଧ୍ୟ ସହଜରେ ସମ୍ଭବପର ହୋଇନଥାଏ । ଅସ୍ତ୍ର ମିସାଇଲର ଆଉ ୩ଟି ଭାରିଆଣ୍ଟ ମଧ୍ୟ ନିର୍ମାଣ ଜାରି ରହିଛି । ପ୍ରଥମତଃ ଅସ୍ତ୍ର ଆଇଆର ।ଯାହାର ମାରକ କ୍ଷମତା ୮୦ କିଲୋମିଟର । ସେହିଭଳି ଦ୍ୱିତୀୟ ଭାରିଆଣ୍ଟ ଅସ୍ତ୍ର ଏମକେ-୨ । ଯାହାର ଟାର୍ଗେଟ ରେଞ୍ଜ ୧୬୦ କିଲୋମିଟର ରହିଛି । ସେହିଭଳି ଅସ୍ତ୍ର ଏମକେ-୩ର ମାରକ କ୍ଷମତା ୩୫୦ କିଲୋମିଟର ରହିଛି । ତେଣୁ ଅସ୍ତ୍ରର ଏହି ମିସାଇଲ ଯେତେବେଳେ ଭାରତୀୟ ଯୁଦ୍ଧ ବିମାନରେ ସଂଯୋଗ ହେବ ତାହା ଶତ୍ରୁଙ୍କ ମନରେ ଛନକା ଭରିବ ନିଶ୍ଚୟ । ସବୁଠୁ ବଡ କଥା ହେଲା ଅସ୍ତ୍ର ଏମକେ-୧ର ଆକାଶପଥରେ ମଧ୍ୟ ଦିଶା ବଦଳାଯାଇପାରିବ । ଅଥାର୍ତ ମଝି ଆକାଶରେ ମଧ୍ୟ ଡାଟା ଜରିଆରେ ଏହାକୁ ଅପରେଟ କରାଯାଇପାରିବ । ଯେଉଁଥିପାଇଁ ଅସ୍ତ୍ର ଏବେ ଭାରତୀୟ ବାୟୁସେନାର ପ୍ରଥମ ପସନ୍ଦର ମିସାଇଲ ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe