ଅର୍ନ୍ତଜାତୀୟ ମଂଚରେ ଏକଘରିକିଆ ପାକ୍ ! ଟେରର ଫଣ୍ଡିଂ ନେଇ ଏଫଏଟିଏଫ୍ ଗ୍ରେ ତାଲିକା ଭୁକ୍ତ କରିବା ପଦକ୍ଷେପକୁ ଭାରତ ଓ ଆମେରିକାର ସ୍ୱାଗତ । 

36

ଆତଙ୍କବାଦ ବିରୋଧରେ ଫଣ୍ଡିଂ ରୋକିବାରେ ବିଫଳ ହେବା ପରେ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ସାମିଲ କରିବା ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଭାରତ ଓ ଆମେରିକା । ଫିନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ବା ଏଫ୍ଏଟିଏଫ୍ ଏହି ପଦକ୍ଷେପ ନେଇଛି । ସେପଟେ ପାକିସ୍ତାନ ସପକ୍ଷରେ ବାହାରିଛି ଚୀନ୍ । ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ପୁଣି ଏକ ଘରକିଆ ହେଲା ପାକିସ୍ତାନ । ଆତଙ୍କବାଦ ରୋକିବାରେ ବିଫଳ ହେବାରୁ ପାକିସ୍ତାନକୁ ଗ୍ରେ ଲିଷ୍ଟ ଭୁକ୍ତ କରିଛି ଏଫଏଟିଏଫ୍ । ଏହି ପଦକ୍ଷେପକୁ ସ୍ୱାଗତ କରି ଭାରତ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ କରାଯାଇଛି । ଆଇସିଆରଜି ମନିଟଂରି ପାଇଁ ଏଫଏଟିଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟ ଭୁକ୍ତ କରିବା ନିଷ୍ପତିକୁ ଭାରତ ସ୍ୱାଗତ କରୁଛି ବୋଲି ଏହି ଟ୍ୱିଟରେ ଉଲ୍ଲେଖ କରାଯାଇଛି ।

ଏହାସହ ପାକିସ୍ତାନରେ ଆତଙ୍କବାଦୀ ଫଣ୍ଡିଂ ରୋକିବା ଦିଗରେ ଇସଲାମାବାଦ ଉଚିତ ପଦକ୍ଷେପ ଗ୍ରହଣ କରିବ ବୋଲି ଭାରତ ଆଶା ରଖିଛି । ସେପଟେ ଏହି ପଦକ୍ଷେପକୁ ସ୍ୱାଗତ କରିଛି ଆମରେିକା । ଏହାସହ ଆତଙ୍କବାଦ ରୋକିବା ପାଇଁ ପାକିସ୍ତାନ ନେଇଥିବା ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ଆମେରିକା କହିଛି । ଅପରପକ୍ଷରେ ପାକ୍ ସପକ୍ଷରେ ବାହାରିଛି ଚୀନ୍ । ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନକୁ ବିଶ୍ୱାସଯୋଗ କରାଯିବା ଉଚିତ ବୋଲି ଚୀନ୍ କହିଛି । କେବଳ ଏତିକି ନୁହେଁ ଆତଙ୍କବାଦ ବିରୋଧରେ ପାକିସ୍ତାନର ପଦକ୍ଷେପକୁ ପ୍ରଶଂସା ମଧ୍ୟ କରିଛି ଚୀନ୍ । ଆତଙ୍କବାଦ ବିରୋଧରେ ଲଢିବା ପାଇଁ ପାକ୍ ପ୍ରଚେଷ୍ଟା କରିଚାଲିଛି ଏବଂ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ଏହାକୁ ମାନ୍ୟତା ମିଳିବା ଆବଶ୍ୟକ ବୋଲି କହିଛି ବେଜିଂ ।

ବୁଧବାର ଦିନ ୩୭ ସଦସ୍ୟ ବିଶିଷ୍ଟ ଏଫଟିଏଫ୍ ପାକିସ୍ତାନକୁ ଗ୍ରେ ତାଲିକା ଭୁକ୍ତ କରିଥିଲା  । ଏହି ତାଲିକାରେ ସାମିଲ ହେବା ଦେଶ ମଧ୍ୟରେ ନବମ ସ୍ଥାନରେ ରହିଛି ଇସଲାମାବାଦ୍ । ଟେରର ଫଣ୍ଡିଂ ଓ ମନି ଲଣ୍ଡ୍ରିଂ ରୋକିବାରେ ବିଫଳ ପାକର ଅର୍ଥବ୍ୟବସ୍ଥା ସାରା ବିଶ୍ୱର ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିବ ବୋଲି କହିଛି ଏଫଏଟିଏଫ୍ ।  ୧୯୮୯ରେ ସ୍ଥାପିତ ଇଂଟର ଗଭର୍ଣ୍ଣମେଂଟାଲ ସଂଗଠନ ବା ଏଫଏଟିଏଫ କଳାଟଙ୍କା ଧଳା କରିବା, ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ଏବଂ ଆର୍ନ୍ତଜାତୀୟ ଅର୍ଥନୈତିକ ସଂସ୍ଥାର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ସମସ୍ୟା ଆଦି ବିରୋଧରେ ଲଢେଇ କରେ ।