କନକ ବ୍ୟୁରୋ : ଦିନିକିଆ କ୍ରିକେଟରେ ଭାରତ ନୂଆ କୀର୍ତିମାନ ସ୍ଥାପନ କରିଛି । ତୃତୀୟ ଏକଦିବସୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୩୧୭ ରନରେ ପରାସ୍ତ କରି ରେକର୍ଡ ରଚିଛି ଟିମ ଇଣ୍ଡିଆ । ଏହା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚର ଇତିହାସରେ ଯେକୌଣସି ଦଳର ସବୁଠୁ ବଡ ବିଜୟ । ଆଜି ଥିରୁଅନନ୍ତପୁରମରେ ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଆଗରେ ୩୯୦ ରନର ବିଶାଳ ସ୍କୋର ଛିଡା କରିଥିଲା ।

Advertisment

ଭାରତ ପକ୍ଷରୁ ବିରାଟ କୋହଲି ଓ ଶୁଭମ ଗିଲ ଶତକୀୟ ପାଳି ଖେଳିଥିଲେ । ବିରାଟ କୋହଲି ଅପରାଜିତ ୧୬୬ରନର ଦମଦାର ପାଳି ଖେଳିଥିଲେ । ମ୍ୟାଚରେ ୮ ଟି ଛକା ଲଗାଇଥିଲେ ବିରାଟ । କୌଣସି ଦିନିକିଆ ମ୍ୟାଚରେ ବିରାଟଙ୍କ ଏହା ହେଉଛି ସର୍ବାଧିକ ଛକା । ଏହି ପାଳି ଅବସରରେ କୋହଲି ମଧ୍ୟ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଦୁଇଟି ଶତକ କୀର୍ତ୍ତିମାନକୁ ପଛରେ ପକାଇ ଦେଇଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଲା କୌଣସି ଏକ ପ୍ରତିଦ୍ବନ୍ଦ୍ବୀ ଦଳ ବିପକ୍ଷରେ ସର୍ବାଧିକ ଦିନିକିଆ ଶତକ ଏବଂ ଅନ୍ୟଟି ହେଲା ଘରୋଇ ମାଟିରେ ସର୍ବାଧିକ ଦିନିକିଆ ଶତକ ।

ରବିବାରର ଶତକ ଶ୍ରୀଲଙ୍କା ବିପକ୍ଷରେ କୋହଲିଙ୍କର ଥିଲା ଦଶମ । ଏହା ପୂର୍ବରୁ କୌଣସି ଦିନିକିଆ ଦଳ ବିପକ୍ଷରେ ସଚିନ୍‌ ସର୍ବାଧିକ ୯ ଶତକ ଜମାଇଥିଲେ । ସଚିନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଏହି କୀର୍ତ୍ତିମାନ ହାସଲ କରିଥିଲା ବେଳେ କୋହଲି ଏବେ ଶ୍ରୀଲଙ୍କା ବିପକ୍ଷରେ ନିଜ ଶତକ ସଂଖ୍ୟା ୧୦କୁ ବୃଦ୍ଧି କରି ଏକ୍ଷେତ୍ରରେ ପ୍ରଥମ ବ୍ୟାଟର୍‌ ହୋଇଛନ୍ତି । କୋହଲି ମଧ୍ୟ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ୯ ଶତକ ଜମାଇବାର କୀର୍ତ୍ତିମାନ ନିଜ ନାମରେ ରଖିଥିଲେ । ଫଳରେ କୌଣସି ପ୍ରତିଦ୍ବନ୍ଦ୍ବୀ ବିପକ୍ଷରେ ସର୍ବାଧିକ ଶତକ ହାସଲ କରିବାରେ ନିଜ କୀର୍ତ୍ତିମାନକୁ ଟପି ଯାଇଛନ୍ତି ।

ସେହିପରି ଶୁଭମ ଗିଲ କରିଥିଲେ ୧୧୬ ରନ । ଜବାବରେ ଶ୍ରୀଲଙ୍କା କେବଳ ୨୨ ଓଭର ଖେଳି ୭୩ ରନରେ ଅଲଆଉଟ ହୋଇଯାଇଥିଲେ । ଶ୍ରୀଲଙ୍କାର ୩ଟି ବ୍ୟାଟ୍ସମ୍ୟାନଙ୍କୁ ଛାଡିଦେଲେ ଅନ୍ୟକେହି ଦୁଇ ଅଙ୍କ ଛୁଇଁପାରିନଥିଲେ । ଦ୍ରୁତ ବୋଲର ମହମ୍ମଦ ସିରାଜ ଚମତ୍କାର ବୋଲିଂ କରି ୩୨ ରନ ଦେଇ ଶ୍ରୀଲଙ୍କାର ୪ ୱିକେଟ ନେଇ ଭାରତର ବିଜୟକୁ ସହଜ କରିଥିଲେ । ଏହି ବିଜୟ ସହ ଭାରତ ୩-୦ରେ ଦିନିକିଆ ସିରିଜ ବିଜୟୀ ହୋଇଛି ।