ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତର ଦମଦାର ପ୍ରଦର୍ଶନ ! ଦକ୍ଷିଣ କୋରିଆକୁ ହରାଇ ଚତୁର୍ଥ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ ।

23

ପଞ୍ଚମ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତ ବିଜୟ ଧାରାକୁ ଫେରିଛି । ବୁଧବାର ଭାରତୀୟ ହକି ଦଳ ୩-୧ ଗୋଲରେ ଦକ୍ଷିଣ କୋରିଆକୁ ହରାଇ ଦେଇଛି । ପ୍ରଥମ ତିନିଟି ମ୍ୟାଚ୍ ଜିତି ହ୍ୟାଟ୍ରିକ୍ କରିଥିବା ଭାରତ ମଙ୍ଗଳବାରର ମାଲେସିଆ ବିପକ୍ଷ ମ୍ୟାଚକୁ ଅପ୍ରତ୍ୟାଶିତ ଭାବେ ଅମୀମାଂସିତ ରଖିଥିଲା। ବୁଧବାର କିନ୍ତୁ ନିଜ ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ଆଣି ଚତୁର୍ଥ ବିଜୟ ହାସଲ କରିଥିଲା। ଏଥିସହିତ ଭାରତ ଲିଗ୍ ପର୍ଯ୍ୟାୟର ପାଞ୍ଚ ମ୍ୟାଚ୍ ମଧ୍ୟରୁ ଚାରିଟି ବିଜୟ ଏବଂ ଗୋଟିଏ ଅମୀମାଂସିତ ସହ ମୋଟ ୧୩ ପଏଣ୍ଟ ଅର୍ଜନ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି।

ବୁଧବାର ଭାରତ ପଞ୍ଚମ ମିନିଟରେ ହରଭନପ୍ରୀତ ସିଂହଙ୍କ ପେନାଲ୍ଟି କର୍ନର ଗୋଲ୍ ବଳରେ ଆଗୁଆ ହୋଇ ଯାଇଥିଲା। ଗୁରଜାନ୍ତ ସିଂହ ଏକ ସୁନ୍ଦର ଫିଲ୍ଡ ଗୋଲ୍ରେ ଯାହାକୁ ଦଶକ ମିନିଟରେ ୨-୦ କରି ଦେଇଥିଲେ। ପ୍ରଥମ କ୍ବାର୍ଟରରେ ଭାରତ ୨-୦ରେ ଆଗୁଆ ରହିବା ପରେ ଦ୍ବିତୀୟ କ୍ବାର୍ଟର ପଞ୍ଚମ ଅର୍ଥାତ୍ ୨୦ ତମ ମିନିଟରେ କୋରିଆ ସେଥିମଧ୍ୟରୁ ଗୋଟିଏ ଗୋଲ୍ ଶୁଝି ଦେଇଥିଲା। ଅଧିନାୟକ ଲି’ ସିଉନଗିଲ ଏହି ଫିଲ୍ଡ ଗୋଲକୁ ଦେଇଥିଲେ। ତୃତୀୟ କ୍ବାର୍ଟର ଗୋଲ୍ ଶୂନ୍ୟ ରହିବା ପରେ ଚତୁର୍ଥ କ୍ବାର୍ଟରରେ ଆଉ ଏକ ଗୋଲ୍ ଦେଇ ଭାରତ ୩-୧ରେ ବିଜୟ ମୁଣ୍ଡି ମାରିଥିଲା। ତୃତୀୟ ଗୋଲଟିକୁ ସେହି ହରମନପ୍ରୀତ ପେନାଲ୍ଟିକୁ ଗୋଲରେ ରୂପାନ୍ତର କରି ଅମଳ କରିଥିଲେ।