କ୍ରିକେଟ୍ ବିଶ୍ୱକପର ହାଇଭୋଲଟେଜ୍ ମ୍ୟାଚ୍ : ସପ୍ତମଥର ପାଇଁ ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ, ଆହତ ଧାୱନଙ୍କ ସ୍ଥାନରେ ଓପନିଂ କରିବେ ଲୋକେଶ ରାହୁଲ

97

କନକ ବ୍ୟୁରୋ : ବିଶ୍ୱକପର ହାଇଭୋଲଟେଜ୍ ମ୍ୟାଚ୍ । ମଂଚେଷ୍ଟରରେ ମହାମୁକାବିଲା । ମୈଦାନରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ମଂଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଅପରାହ୍ନ ୩ଟାରେ ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର ହେବ । ସପ୍ତମ ଥର ପାଇଁ ଉଭୟ ଦଳ ପରସ୍ପରକୁ ଭେଟୁଛନ୍ତି । ଓଲ୍ଡ ଟ୍ରାଫଡ୍ ପିଚରେ ବ୍ୟାଟିଂ କରିବା କଷ୍ଟକର ନୁହେଁ । ତେବେ ଗତ କିଛି ଦିନ ହେଲା ପାଗ କୋହଲା ରହିଥିବାରୁ ଏବଂ ଆଜି ବର୍ଷା ହେବାର ପୂର୍ବାନୁମାନ ଥିବାରୁ ବୋଲର ଅଧିକ ଫାଇଦାରେ ରହିବେ । ବଲ୍ ଅଧିକ ସୁଇଂ ହେବ । ଆଜି ଶିଖର ଧାୱନଙ୍କ ବଦଳରେ ଟିମ୍ ଇଣ୍ଡିଆ ପାଳି ଆରମ୍ଭ କରିବେ ଲୋକେଶ ରାହୁଲ । ସେପଟେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ରୋକିବାକୁ ଚେଷ୍ଟା କରିବେ ପାକ୍ ପେସର ମହମ୍ମଦ ଆମିର ଏବଂ ୱାହବ ରିଆଜ । ସେହିପରି ବୁମରା ଓ ଭୁବନେଶ୍ୱରଙ୍କ ସୁଇଂ ଏବଂ ଚହଲଙ୍କ ସ୍ପିନ୍ ପାକିସ୍ତାନକୁ ଚ୍ୟାଲେଂଜ ଦେବ ।

ଭାରତ-ପାକିସ୍ତାନ ମଧ୍ୟରେ ୧୩୧ଟି ଆନ୍ତର୍ଜାତୀକ ଦିନିକିଆ ମ୍ୟାଚ୍ ଖେଳାଯାଇଛି । ପାକିସ୍ତାନ ୭୪ଟି ଜିତିଥିବା ବେଳେ ଭାରତ ଜିତିଛି ୫୩ଟି । ୪ଟି ମ୍ୟାଚ୍ରୁ ଫଳାଫଳ ବାହାରିପାରିନାହିଁ । ପାକିସ୍ତାନ ବିପକ୍ଷରେ ଭାରତର ସର୍ବାାଧିକ ସ୍କୋର ହେଉଛି ୯ ୱିକେଟରେ ୩୫୬ ରନ୍ । ସେହିପରି ପାକିସ୍ତାନ ବିପକ୍ଷରେ ୭୯ ରନ୍ର ସର୍ବନିମ୍ନ ସ୍କୋରର ଅଲୋଡା ରେକର୍ଡ ବି ରହିଛି ଭାରତ ନାଁରେ । ଇଂଲଣ୍ଡରେ ଭାରତ-ପାକିସ୍ତାନ ୫ଟି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି । ଭାରତ ୩ଟି ଏବଂ ପାକିସ୍ତାନ ୨ଟି ଜିତିଛି । ୧୯୯୯ ବିଶ୍ୱକପ୍ରେ ମାଂଚେଷ୍ଟରରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ସୁପର ସିକ୍ସ ପର୍ଯ୍ୟାୟର ଏହି ମ୍ୟାଚରେ ପାକିସ୍ତାନକୁ ମାତ୍ ଦେଇଥିଲା ଭାରତ ।