ଆଜି ଭାରତ- ନ୍ୟୁଜିଲାଣ୍ଡ ତୃତୀୟ ଟି-୨୦ : କୋଲକାତାରେ ସିରିଜ କ୍ଲିନ୍ ସୁଇପ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଶେଷ ମ୍ୟାଚ ଜିତିବାକୁ ଚେଷ୍ଟା କରିବ କିୱି ଦଳ

120

କନକ ବ୍ୟୁରୋ : ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟି-୨୦ ମୁକାବିଲା । ଦୁଇଟି ମ୍ୟାଚ୍ ଜିତି ଆଗୁଆ ସିରିଜ୍ ଜିତି ସାରିଥିବା ଭାରତୀୟ ଦଳ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଛି । ଜୟପୁର ଓ ରାଂଚି ପରେ କୋଲକାତାରେ ମଧ୍ୟ ବିଜୟ ବାନା ଉଡାଇବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ ।

ଆଜିର ମ୍ୟାଚ୍ ଜିତିଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଟି-୨୦ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେବ ଟିମ୍ ଇଣ୍ଡିଆ । ସେହିପରି ନୂଆ କୋଚ ରାହୁଲ ଦ୍ରାବିଡ୍ ଓ ନୂଆ ଅଧିନାୟକ ରୋହିତ୍ ଶର୍ମାଙ୍କ ଯୋଡି ପ୍ରଥମ କ୍ଲିନ୍ ସୁଇପ୍ ବିଜୟ ହେବ । ସେପଟେ ଭ୍ରମଣକାରୀ ଦଳ ଆଜିର ମ୍ୟାଚ୍ ଜିତି ସମ୍ମାନ ରଖିବାକୁ ଚେଷ୍ଟା କରିବ । ଜୟପୁର ଓ ରାଂଚି ଭଳି କୋଲକାତାରେ ମଧ୍ୟ ଟସ୍ ପୁଣି ଥିରେ ନିର୍ଣ୍ଣାୟକ ହୋଇପାରେ । ଟସ୍ ଜିତିବା ଦଳ ପ୍ରତିପକ୍ଷଙ୍କୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିବା ସମ୍ଭାବନା ରହିଛି ।

ପ୍ରଥମ ଦୁଇ ମୁକାବିଲା ଜିତିବା ପରେ ଭାରତ ଅବଶ୍ୟ ଶୃଙ୍ଖଳା ଜିତି ସାରିଛି । ସେଥିପାଇଁ କିଛି ସଂରକ୍ଷିତ ଖେଳାଳିଙ୍କୁ ଖେଳାଇବାର ବିକଳ୍ପ ଭାରତ ପାଖରେ ଖୋଲା ରହିବ। ତେବେ ରାହୁଲ-ରୋହିତ ଯୋଡ଼ି ଦଳର ସନ୍ତୁଳନକୁ ଭାଙ୍ଗି ଏଥିରେ ବଡ଼ ଧରଣର ଅଦଳ ବଦଳ କରିବାର ସମ୍ଭାବନା ପ୍ରାୟ ନାହିଁ । ତଥାପି ଦୀପକ ଚହର ଓ କିମ୍ବା ଭୁବନେଶ୍ବର କୁମାରଙ୍କ ସ୍ଥାନରେ ଅଭେଶ ଖାନଙ୍କୁ ଖେଳାଇବାର ସାହସ ଉଭୟ ଦେଖାଇପାରନ୍ତି । ସେହିଭଳି ରବିଚନ୍ଦ୍ରନ ଅଶ୍ବିନ କିମ୍ବା ଅକ୍ଷର ପଟେଲଙ୍କ ବଦଳରେ ୟୁଜବେନ୍ଦ୍ର ଚହଲ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି । ଋତୁରାଜ ଗାଏକ୍ବାଡଙ୍କୁ ବି ସୁଯୋଗ ମିଳିପାରେ ।

ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ଆରମ୍ଭ ହେବା ପରଠାରୁ ଲଗାତାର ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଆସୁଥିବା ଋଷଭ ପନ୍ତଙ୍କ ସ୍ଥାନରେ ଈଶାନ କିଶନଙ୍କୁ ମଧ୍ୟ ଖେଳାଯାଇପାରେ । ତେବେ ଏହିସବୁ ନିଷ୍ପତ୍ତି ଇଡେନ୍ ଗାର୍ଡେନ୍ସର ପିଚ୍ ଓ ପରିବେଶ ଉପରେ ନିର୍ଭରଶୀଳ ରହିବ । ଜୟପୁରରେ ଯୁବ ବୋଲର ହର୍ଷଲ ପଟେଲ ପଦାର୍ପଣରେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବା ପରେ ଦଳୀୟ ପରିଚାଳକ ତାଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିପା‌ରନ୍ତି। ନ୍ୟୁଜିଲାଣ୍ଡ ତାର ସଂଘର୍ଷରତ ମଧ୍ୟକ୍ରମରେ କିଛିଟା ଅଦଳ ବଦଳ କରିପାରେ ।

ସମ୍ଭାବ୍ୟ ଭାରତ : କେଏଲ୍ ରାହୁଲ, ରୋହିତ ଶର୍ମା (ଅଧିନାୟକ), ଋତୁରାଜ ଗାଏକ୍ବାଡ୍/ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଅକ୍ଷର ପଟେଲ/ୟୁଝ୍‌ବେନ୍ଦ୍ର ଚହଲ, ଆର ଅଶ୍ବିନ, ଦୀପକ ଚହର, ଅଭେଶ ଖାନ୍/ଭୁବନେଶ୍ବର କୁମାର, ହର୍ଷଲ ପଟେଲ।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ : ମାର୍ଟିନ ଗପ୍ଟିଲ, ଡାରେଲ ମିଚେଲ, ମାର୍କ ଚାପମ୍ୟାନ୍, ଗ୍ଲେନ୍ ଫିଲିପ୍ସ, ଟିମ୍ ସେଫର୍ଟ, ଜେମ୍ସ ନୀସାମ, ମିଚେଲ ସାଣ୍ଟନର, ଆଦାମ ମିଲନେ, ଟିମ୍ ସାଉଦି (ଅଧିନାୟକ), ଈଶ୍ ସୋଢୀ, ଟ୍ରେଣ୍ଟ ବୋଲ୍ଟ।