ରୋମାଞ୍ଚକର ଦ୍ୱିତୀୟ ଟି-୨୦ : ଆୟରଲାଣ୍ଡକୁ ୪ ରନରେ ହରାଇଲା ଭାରତ; ମ୍ୟାଚ୍ ଜିତି ସିରିଜ୍ କ୍ଲିନ୍ ସୁଇପ୍ କଲା ଟିମ୍ ଇଣ୍ଡିଆ

164

କନକ ବ୍ୟୁରୋ : ରୋମାଞ୍ଚକର ବିଜୟ ସହ ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ । ମଙ୍ଗଳବାର ଆୟରଲାଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଶେଷ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ୪ ରନରେ ଆୟୋଜକ ଦଳକୁ ହରାଇ ସିରିଜକୁ ୨-୦ରେ ଜିତି ନେଇଛି । ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଯାହା ପରେ ଦୀପକ ହୁଡା ମାତ୍ର ୫୫ ବଲରେ ଶତକ ହାସଲ କରିଥିଲେ ।

ସେ ୫୭ ବଲରେ ୧୦୪ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୬ ଛକା ଓ ୯ ଚୌକା ସାମିଲ୍ ଥିଲା । ଏହାବ୍ୟତୀତ ସଞ୍ଜୁ ସାମସନ୍ ୪୨ ବଲରେ ୭୭ ରନ୍ କରିଥିଲେ । ସଂଜୁ ୪ ଛକା ଓ ୯ ଛକା ମାରିଥିଲେ । ଫଳରେ ଭାରତୀୟ ଟିମ୍ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୨୨୫ ରନ୍ କରିଥିଲା । ୨୨୬ ରନର ବିଶାଳ ଟାର୍ଗେଟର ପିଛା କରୁଥିବା ଆୟର୍ଲାଣ୍ଡ ଭ୍ରମଣକାରୀ ଦଳକୁ କଡ଼ା ଟକ୍କର ଦେଇଥିଲା । ଆରମ୍ଭରୁ ହିଁ ଘରୋଇ ଦଳ ଜବରଦସ୍ତ ବ୍ୟାଟିଂ କରିଥିଲା ଏବଂ ଶେଷରେ ୫ ୱିକେଟ୍ ହରାଇ ୨୨୧ ରନ୍ କରିଥିଲା । ଶେଷ ଓଭରରେ ଦଳକୁ ୧୭ ରନ୍ ଆବଶ୍ୟକ ଥିଲା ।

ଭାରତର ଯୁବ ପେସର୍ ଉମ୍ରାନ ମଲିକ ପ୍ରଥମ ତିନି ବଲରେ ୯ ରନ୍ ବ୍ୟୟ କରିଥିବା ବେଳେ ଶେଷ ତିନି ବଲରେ ମାତ୍ର ୩ ରନ୍ ଦେଇ ଆୟରଲାଣ୍ଡଠାରୁ ବିଜୟ ଛଡ଼ାଇ ଆଣିଥିଲେ । ଆୟରଲାଣ୍ଡ ପକ୍ଷରୁ କ୍ୟାପଟେନ୍ ଆଣ୍ଡ୍ର୍ୟୁ ବଲବର୍ନି ୩୭ ବଲରେ ସର୍ବାଧିକ ୬୦ ରନ୍ କରିଥିଲେ । ସେହିପରି ଓପନିଂ ବ୍ୟାଟର୍ ପଲ୍ ଷ୍ଟର୍ଲିଂ ୪୦ ରନ, ହ୍ୟାରୀ ଟେକ୍ଟର ୩୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଜର୍ଜ ଡକରେଲ୍ ୩୪ ଓ ମାର୍କ ଏଡେର୍ ୨୩ ରନ୍ କରି ଅପରାଜିତ ରହିଥିଲେ । ଦୁଇଟି ମ୍ୟା ଚରେ ଦମଦାର ବ୍ୟାଟିଂ କରିଥିବା ଦୀପକ ହୁଡା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।