ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡିପାରନ୍ତି ଇଂଲଣ୍ଡ ପେସ୍ ବୋଲର୍ ଜେମ୍ସ ଆଣ୍ଡରସନ୍ : ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆଣ୍ଡରସେନ୍

108

କନକ ବ୍ୟୁରୋ : ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିନପାରନ୍ତି ଇଂଲଣ୍ଡ ପେସ ବୋଲର ଜେମ୍ସ ଆଣ୍ଡରସନ୍ । ପ୍ରଥମ ଟେଷ୍ଟରେ ଇଂଲଣ୍ଡର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆଣ୍ଡରସନ୍ । ତେବେ ଦ୍ୱିତୀୟ ଟେଷ୍ଟରୁ ଦଳ ତାଙ୍କୁ ବାହାରେ ରଖି, ଚୂଡାନ୍ତ ଦଳରେ ଷ୍ଟୁଆର୍ଟ ବ୍ରଡଙ୍କୁ ଖେଳାଇପାରେ । ଦ୍ବିତୀୟ ଟେଷ୍ଟରେ ଦଳ ଆଣ୍ଡରସନଙ୍କୁ ବିଶ୍ରାମ ଦେଇ ଅନ୍ୟତମ ପ୍ରମୁଖ ପେସ୍ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦେବାକୁ ଦଳ ବିଚାର କରୁଥିବା , କୋଚ୍ କ୍ରିସ୍ ସିଲଭରଉଡ୍ ସୂଚନା ଦେଇଛନ୍ତି । ଆଣ୍ଡରସନଙ୍କୁ ବାହାରେ ରଖିବା କଷ୍ଟକର ନିଷ୍ପତି ହୋଇଥିଲେ ମଧ୍ୟ ଇଂଲଣ୍ଡ ଏହା ଉପରେ ବିଚାର କରୁଥିବା , ଇଂଲଣ୍ଡ କୋଚ୍ କହିଛନ୍ତି ।

୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳାଳିଙ୍କୁ ବିଶ୍ରାମ ଆବଶ୍ୟକ । ଭାରତର ଗରମ ପରିବେଶରେ ଇଂଲଣ୍ଡ ଲଂବା ସିରିଜ ଖେଳିବ । ସେଥିପାଇଁ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ନଜରରେ ରଖି ଦଳ ଏହାର ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇ ଫିଟ୍ ରଖିବାକୁ ଯୋଜନା ରଖିଛି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଆଣ୍ଡରସନ୍ ଖେଳିଥିବା ବେଳେ ବ୍ରଡଙ୍କୁ ଦ୍ୱିତୀୟ ଟେଷ୍ଟ ଖେଳିବାର ସୁଯୋଗ ମିଳିଥିଲା । ଏହି ନିୟମକୁ ଦେଖିବାକୁ ଗଲେ ଆସନ୍ତା ଶନିବାର ଠାରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଜେମ୍ସ ଆଣ୍ଡରସନଙ୍କୁ ଦଳ ବାହାରେ ରଖି, ଷ୍ଟୁଆର୍ଟ ବ୍ରଡଙ୍କୁ ସ୍ଥାନ ଦେଇପାରେ । ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡ ଏବେ ୧-୦ରେ ଆଗୁଆ ରହିଛି ।