କାଲି ତୃତୀୟ ଦିନିକିଆ ! ସିରିଜ ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ, ଅଷ୍ଟ୍ରେଲିଆ ପାଇଁ ‘କର ବା ମର’ ସ୍ଥିତି ।

242

କନକ ବ୍ୟୁରୋ : ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ଦିନିକିଆ ଲଢେଇ । ୫ ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି । କାଲିର ମ୍ୟାଚ୍ ଭାରତ ଜିତିଲେ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ହାତେଇବ ଦଳ । ସେହିପରି ପ୍ରଥମ ଦୁଇଟି ଦିନିକିଆରେ ପରାଜୟ ସାମ୍ନା କରିଥିବା କଙ୍ଗାରୁ ଦଳ ପାଇଁ କାଲିର ମ୍ୟାଚ୍ ନିର୍ଣ୍ଣାୟକ ରହିବ । ରାଞ୍ଚି ଦିନିକିଆ ଅଷ୍ଟ୍ରେଲିଆ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି । କାଲିର ମ୍ୟାଚ୍ ହାରିଲେ ଅଷ୍ଟ୍ରେଲିଆ ସିରିଜ ହାତଛଡା କରିବ ।

ତେବେ ଆସନ୍ତାକାଲିର ମ୍ୟାଚ୍ ରାଞ୍ଚି ଠାରେ ଦିନ ୧.୩୦ ମିନିଟରେ ଖେଳାଯିବ । ହାଇଦ୍ରାବାଦ ଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ୬ ୱିକେଟରେ ବିଜୟ ହୋଇଥିଲା ବିରାଟ ବାହିନୀ । ସେହିପରି ନାଗପୁରରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୮ ରନରେ ମାତ୍ ଦେଇଥିଲା ବିରାଟ ବାହିନୀ । ଏହି ବିଜୟଧାରାକୁ ବଜାୟ ରଖିବାକୁ ଦଳ କାଲି ପଡିଆକୁ ଓହ୍ଲାଇବ । ପୂର୍ବରୁ ଟି-ଟ୍ୱେଣ୍ଟି ସିରିଜ ହାତଛଡା କରିଥିବାରୁ ଦିନିକିଆ ସିରିଜ ଜିତି କଙ୍ଗାରୁ ଦଳ ଠାରୁ ବଦଲା ନେବାକୁ ଚାହିଁବ ଭାରତ । କ୍ରମାଗତ ଦୁଇଟି ମ୍ୟାଚ୍ ଜିତିଥିବାରୁ ଭାରତର ମନୋବଳ ଦୃଢ ରହିଛି ।