ଆଜି ଭାରତ- ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ : ପ୍ରଥମ ମ୍ୟାଚ ହାରିଥିବାରୁ ଘରୋଇ ଦଳ ପାଇଁ ‘କର ବା ମର’ ସ୍ଥିତି

179

କନକ ବ୍ୟୁରୋ : ଆଜି ଭାରତ- ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ ।  ପ୍ରଥମ ମ୍ୟାଚ ହାରିଥିବାରୁ ଘରୋଇ ଦଳ ପାଇଁ ‘କର ବା ମର’ ସ୍ଥିତି । ଡେଥ ଓଭର ବୋଲିଂକୁ ନେଇ ଚିନ୍ତାରେ ଟିମ୍ ଇଣ୍ଡିଆ ।  ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସମ୍ମୁଖରେ ଭାରତ ଯଦିଓ ୨୦୦ରୁ ଅଧିକ ରନ୍‌ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା କିନ୍ତୁ ଘରୋଇ ଦଳର ବୋଲିଂ ଆକ୍ରମଣକୁ ନେଇ ଅନେକ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା । ଭୁବନେଶ୍ବର କୁମାର ପୁଣି ଥରେ ଡେଥ୍‌ ଓଭରରେ ସଂଘର୍ଷ କରିଥିଲା ବେଳେ ହର୍ଷଲ ପଟେଲ ୱିକେଟ୍‌ ବାହାର କରିବାରେ ବିଫଳ ହୋଇଥିଲେ ।

କେବଳ ଅକ୍ଷର ପଟେଲଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ଓଭର ପିଛା ୧୦ରୁ ଅଧିକ ରନ୍‌ ବ୍ୟୟ କରିଥିଲେ । ତେଣୁ ବିଶ୍ବକପ୍‌ ପୂର୍ବରୁ ଭାରତକୁ ପୂର୍ବ ଲୟ ଫେରିପାଇବାକୁ ହେଲେ ବୋଲିଂ ବିଭାଗକୁ ସଜାଡ଼ିବା ପାଇଁ କିଛି କଠୋର ପଦକ୍ଷେପ ନେବାକୁ ହେବ । ବର୍ତ୍ତମାନର ସ୍ଥିତିକୁ ଦେଖିଲେ, ଭାରତୀୟ ଦଳଠୁ କିଛି ଦିନ ଧରି ଦୂରରେ ଥିବା ଯଶପ୍ରୀତ୍‌ ବୁମ୍‌ରା ଦ୍ବିତୀୟ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଛି ।

ଭାରତୀୟ ଦଳର ବୋଲିଂ ବିଭାଗ ଚିନ୍ତାଜନକ ରହିଛି, ତଥାପି ପ୍ରଥମ ମ୍ୟାଚ୍‌ରୁ ଅନେକ ସକାରାତ୍ମକ ଘଟଣା ସାମ୍ନାକୁ ଆସିଛି । କେଏଲ୍‌ ରାହୁଲ ଆରମ୍ଭରୁ ଖୋଲା ସଟ୍‌ ଖେଳିପାରୁଥିଲା ବେଳେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ନିଜର ଆକ୍ରମଣାତ୍ମକ ଶୈଳୀ ବଳରେ ଯେକୌଣସି ବୋଲରଙ୍କୁ ଫିକା କରିଦେବା ଦକ୍ଷତା ରଖୁଥିବା ପ୍ରମାଣିତ କରିଛନ୍ତି । ନାଗପୁରରେ ବୁଧବାର ରାତିରୁ ବର୍ଷା ହେଉଥିବାରୁ ଏହି ମ୍ୟାଚ୍‌କୁ ନେଇ ଆଶଙ୍କା ରହିଛି । ଉଭୟ ଦଳ ଗୁରୁବାର ଅଭ୍ୟାସ କରିପାରିନାହାନ୍ତି ।

ସମ୍ଭାବ୍ୟ ଭାରତ ଏକାଦଶ : କେଏଲ୍‌ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ/ଦୀପକ ଚହର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା।

ସମ୍ଭାବ୍ୟ ଅଷ୍ଟ୍ରେଲିଆ ଏକାଦଶ : ଆରୋନ୍‌ ଫିଞ୍ଚ, କାମେରନ୍‌ ଗ୍ରିନ୍‌, ଷ୍ଟିଭ୍‌ ସ୍ମିଥ୍‌, ଗ୍ଲେନ୍‌ ମ୍ୟାକ୍ସୱେଲ, ଜୋସ୍‌ ଇଂଲିଶ୍‌, ଟିମ୍‌ ଡେଭିଡ୍‌, ମାଥ୍ୟୁ ୱେଦ୍‌, ପ୍ୟାଟ୍‌ କମିନ୍ସ, ନାଥନ୍‌ ଏଲିସ୍‌, ଆଦାମ୍‌ ଜାମ୍ପା, ଜୋସ୍‌ ହାଜେଲ୍‌ଉଡ୍‌।