କାଲି ହାଇଭୋଲଟେଜ୍ ଟକ୍କର ! ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-ଟେଣ୍ଟି, ସିରିଜ୍ ଡ୍ର କରିବା ଲକ୍ଷ୍ୟରେ ବିରାଟ ବାହିନୀ ।

109

କନକ ବ୍ୟୁରୋ : ଆସନ୍ତାକାଲି ବାଙ୍ଗାଲୋରରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଶେଷ ତଥା ଦ୍ୱିତୀୟ ଟି-ଟ୍ୱେଣ୍ଟି । ୧-୦ରେ ଆଗୁଆ ରହିଥିବା କଙ୍ଗାରୁ ଦଳ କାଲିର ମ୍ୟାଚ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି । ସେପଟେ ମ୍ୟାଚ ଜିତିବା ସହ ସିରିଜକୁ ଡ୍ର କରିବା ଲକ୍ଷ୍ୟରେ କାଲି ପଡିଆକୁ ଓହ୍ଲାଇବ ବିରାଟ ବାହିନୀ । ଆସନ୍ତାକାଲିର ମ୍ୟାଚ ସନ୍ଧ୍ୟା ୭ଟାରେ ବାଙ୍ଗାଲୋରର ଏମ. ଚିନାସ୍ୱାମୀ ଷ୍ଟାଡିୟମ ଠାରେ ଖେଳାଯିବ । ରୋମାଞ୍ଚ ଭରା ପ୍ରଥମ ଟି-ଟ୍ୱେଣ୍ଟିରେ ଶେଷ ବଲରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଟିମ୍ ଇଣ୍ଡିଆକୁ ୩ ୱିକେଟରେ ମାତ ଦେଇଥିଲା ଅଷ୍ଟ୍ରେଲିଆ । ବିଶେଷ କରି ଖରାପ ବ୍ୟାଟିଂ ପ୍ରଦର୍ଶନ ପାଇଁ ଭାରତ ଏହି ମ୍ୟାଚଟିକୁ ହାତଛଡା କରିଥିଲା ।

ତେବେ ୨୦୧୯ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟି-ଟେଣ୍ଟି ଏବଂ ଦିନିକିଆ ସିରିଜ୍ ଭାରତର ଶକ୍ତି ପରୀକ୍ଷା ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି । ବିଶେଷ କରି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଏବଂ ଋଷଭ ପନ୍ଥ, ଏହି ଦୁଇ ଯୁବ ଖେଳାଳୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଏହି ସିରିଜରେ ଭଲ ପ୍ରଦର୍ଶନ କଲେ ହିଁ ବିଶ୍ୱକପ ଟିକେଟ୍ ପାଇବାର ସମ୍ଭବନା ରହିଛି । ପ୍ରଥମ ମ୍ୟାଚରେ କେ.ଏଲ୍ ରାହୁଲ ଅର୍ଦ୍ଧଶତକ ଜମାଇଥିବା ଥିବା ବେଳେ ବିଫଳ ହୋଇଥିଲେ ଋଷଭ ପନ୍ଥ । ସେପଟେ ଭାରତର ନିୟମିତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କୁ ବିଶ୍ରାମ ଦିଆଯାଇଛି ।