ଟ୍ରଫି ଆଉ ଦୁଇ ପାଦ । କଙ୍ଗାରୁ ଦଳକୁ ୭୪ ରନରେ ପରାସ୍ତ କରି ୧୯ ବର୍ଷରୁ କମ୍ ଜୁନିୟର ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ସେମିଫାଇନାଲ୍ ଟିକେଟ୍ ହାତେଇଲା ଟିମ୍ ଇଣ୍ଡିଆ ।

819

କନକ ବ୍ୟୁରୋ: ୧୯ ବର୍ଷରୁ କମ୍ ଜୁନିୟର ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ସେମିଫାଇନାଲ୍ ଟିକେଟ୍ ହାତେଇଲା ଟିମ୍ ଇଣ୍ଡିଆ । କଙ୍ଗାରୁ ଦଳକୁ ୭୪ ରନରେ ମାତ୍ ଦେଇ ବିଶ୍ୱକପ୍ ଟ୍ରଫି ଠାରୁ ଦୁଇ ପାଦ ଦୂରରେ ଭାରତୀୟ ଟିମ୍ । ଚଳିତ ଟୁର୍ଣ୍ଣାମେଣ୍ଟରେ ଘାତକ ବୋଲିଂ କରୁଥିବା କଙ୍ଗାରୁ ଦଳ ଭାରତ ବିପକ୍ଷରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ୍ ମ୍ୟାଚରେ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ଗତବର୍ଷର ଚମ୍ପିୟାନ ଭାରତୀୟ ଦଳ ୫୦ ଓଭରରେ ୯ ୱିକେଟ୍ ହରାଇ ୨୩୩ ରନ୍ କରିବାରେ ସକ୍ଷମ ହେଲା । ଆଉ ଜବାବରେ ୨୩୪ ରନର ବିଜୟ ଲକ୍ଷ୍ୟ ପିଛା କରିବ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ଅଷ୍ଟ୍ରେଲିଆ ଦଳ ମାତ୍ର ୧୫୯ ରନ୍ କରି ଅଲଆଉଟ୍ ହୋଇଯାଇଛି । ଏପରିକି ଚଳିତ ବିଶ୍ୱକପ୍ ଟାଇଟେଲ୍ ଦୌଡ଼ରୁ ବାଦ୍ ପଡ଼ିଛି କଙ୍ଗାରୁ ଦଳ ।

ସବୁଠାରୁ ବଡ଼କଥା ହେଲା କି, ଚଳିତ ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଟିମ୍ କୁ କୌଣସି ଟିମ୍ ମାତ୍ ଦେଇପାରି ନାହାନ୍ତି । ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲର ନିର୍ଣ୍ଣାୟକ ମ୍ୟାଚରେ ଯୁବ ବୋଲର କାର୍ତ୍ତିକ ତ୍ୟାଗିଙ୍କ ପ୍ରଥମ ଓଭରରେ ହିଁ ୩ଟି ୱିକେଟ୍ ହରାଇ ଦଳର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । କଙ୍ଗାରୁ ଦଳର ସେମ୍ ଫେନିଙ୍ଗ୍ ୧୨୭ ବଲରେ ୭୫ ରନ୍ କରି ଦଳ ପାଇଁ ଫାଇଟ୍ କରିଥିଲେ । କିନ୍ତୁ ଭାରତୀୟ ବୋଲର ଅନ୍ୟପକ୍ଷରେ ୱିକେଟ୍ ପରେ ୱିକେଟ୍ ପତ୍ତନ କରି ଚାଲିଥିଲେ । ସେହିପରି ଭାରତୀୟ ବୋଲିଂ ବିଭାଗରେ କାର୍ତ୍ତିକଙ୍କୁ ୪ ୱିକେଟ୍, ଆକାଶ ସିଂଙ୍କୁ ୩ଟି ଏବଂ ରବି ବିଶୋୟୀଙ୍କୁ ଗୋଟିଏ ୱିକେଟ୍ ମିଳିଛି ।