୨୧ ମିନିଟ୍, ୧୨ ମିରାଜ୍, ୧୦୦୦ କିଲୋ ବୋମା ଆଉ ୩୦୦ରୁ ଅଧିକ ଆତଙ୍କବାଦୀ ମୃତ ! ପୁଲୱାମା ହମଲାର ପ୍ରତିଶୋଧ ନେଲା ଭାରତ, ଜାଣନ୍ତୁ ଆକ୍ରମଣର ପୁରା ଘଟଣା ।

324

କନକ ବ୍ୟୁରୋ : ୧୨ ଦିନ ଭିତରେ ପୁଲୱାମା ହମଲାର ପ୍ରତିଶୋଧ । ୧୯୭୧ ପରେ ପାକିସ୍ତାନ ମାଟିରେ ସବୁଠୁ ବଡ ଏୟାର ଷ୍ଟ୍ରାଇକ୍ । ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ବଡ ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା । ମଙ୍ଗଳବାର ଭୋରୁ ପାକିସ୍ତାନ ମାଟିରେ ପଶି ଆତଙ୍କୀ ଲଂଚପ୍ୟାଡ ଉପରେ ଜୋରଦାର ବୋମା ବର୍ଷଣ କରିଛି ଭାରତୀୟ ଯୁଦ୍ଧ ବିମାନ । ପାକ ଅଧିକୃତ କାଶ୍ମୀରର ବାଲାକୋଟ୍, ମୁଜାଫରାବାଦ ଓ ଚକୋଟିରେ ଆକାଶମାର୍ଗରୁ ଆକ୍ରମଣ କରିଛି ଭାରତ । ପୁଲୱାମା ହମଲା ପଛରେ ଥିବା ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ଠିକଣା ଉପରେ ହୋଇଛି ଏହି ଆକ୍ରମଣ ।

୨୧ ମିନିଟ୍ । ୧୨ ମିରାଜ୍ । ୧୦୦୦ କିଲୋ ବୋମା ଆଉ ୩୦୦ରୁ ଅଧିକ ଆତଙ୍କବାଦୀ ମୃତ । ସମୟ- ମଙ୍ଗଳବାର ଭୋର- ୩ଟା ୨୦ । ଅଚାନକ ପାକିସ୍ତାନ ଆକାଶରେ ଚକ୍କର କାଟିଥିଲା ଭାରତୀୟ ଯୁଦ୍ଧ ବିମାନ । ବାୟୁସେନାର ୧୨ଟି ମିରାଜ୍ ୨୦୦୦ ଲଢୁଆ ବିମାନ ପ୍ରାୟ ୧୦୦୦ କିଲୋ ବିସ୍ଫୋରକ ଧରି ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର ଠିକଣାକୁ କରିଥିଲେ ଟାର୍ଗେଟ । କେଉଁଠି ଅଛି ଆତଙ୍କବାଦୀଙ୍କ ଲଂଚପ୍ୟାଡ୍ ସେ ବାବଦରେ ଥିଲା ଗୁଇନ୍ଦା ସୂଚନା । ତାକୁ ହିଁ ଆଧାର କରି ପାକ୍ ଅଧିକୃତ କାଶ୍ମୀରରେ ଆରମ୍ଭ ହୋଇଥିଲା ଅପରେସନ୍ ।

ବାଲାକୋଟ୍, ମୁଜାଫରାବାଦ ଓ ଚକୋଟିରେ ଆକାଶମାର୍ଗରୁ ହୋଇଥିଲା ଘନଘନ ଆକ୍ରମଣ । ଏକାଧିକ ଆତଙ୍କୀ ଠିକଣା ଉପରେ ପ୍ରାୟ ୧୦୦୦ କିଲୋ ବୋମା ବର୍ଷା କରିଥିଲେ ଭାରତୀୟ ବାୟୁସେନାର ଯବାନ । ନିମିଶକେ ମାଟିରେ ମିଶିଯାଇଥିଲା ପାକିସ୍ତାନରେ ରହି ଭାରତ ବିରୋଧୀ ଷଡଯନ୍ତ୍ର କରୁଥିବା ଦୁର୍ଦ୍ଦଶ ଆତଙ୍କବାଦୀଙ୍କ ଶିବିର । ଯେଉଁଥିରେ ୩୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ବାଲାକୋଟରେ ଥିବା ଆତଙ୍କବାଦୀ କ୍ୟାମ୍ପଗୁଡିକୁ ଚଳାଉଥିଲା ଜୈସ ମୁଖ୍ୟ ମୌଲାନା ମାସୁଦ ଆଜହରର ଶଳା ମୌଲାନା ୟୁସୁଫ ଆଜହର ।

ସବୁଠାରୁ ବଡକଥା ହେଉଛି ଭାରତୀୟ ବାୟୁସେନା କରିଥିବା ଆକ୍ରମଣର ଭିଡିଓ ପ୍ରଥମେ ପାକିସ୍ତାନ ଟିଭି ଚ୍ୟାନେଲରେ ପ୍ରସାରଣ ହୋଇଥିଲା । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି ବୈଦେଶିକ ବ୍ୟାପାର ସଚିବ ବିଜୟ ଗୋଖଲେ । ଦାର୍ଘ ୨୦ ବର୍ଷ ହେଲା ଭାରତ ବିରୋଧରେ ଆତଙ୍କୀ ଷଡଯନ୍ତ୍ର କରୁଥିଲା ପାକିସ୍ତାନ । ହେଲେ ଆଜି ପର୍ଯ୍ୟନ୍ତ କୌଣସି କଡା କାର୍ଯ୍ୟାନୁଷ୍ଠାନ କରିନଥିଲା ଭାରତ । ହେଲେ ଜେଇଏମ୍ ପୁଣି ଏକ ଆତ୍ମଘାତୀ ଆକ୍ରମଣ କରିବା ନେଇ ଗୁଇନ୍ଦା ସୂଚନା ଥିବାରୁ ଏହି ଅସୈନ୍ୟ କାର୍ଯ୍ୟାନୁଷ୍ଠାନ କରାଯାଇଛି ।

ଏହା ପୂର୍ବରୁ ଭାରତୀୟ ବାୟୁସେନାର ଆକ୍ରମଣ ନେଇ ଟ୍ୱିଟ କରି ସ୍ପଷ୍ଟ କରିଥିଲେ ପାକିସ୍ତାନ ସେନା ଅଧିକାରୀ ମେଜର ଜେନେରାଲ ଆସିଫ ଗଫୁର । ଲେଖିଥିଲେ ମୁଜାଫରାବାଦ ସେକ୍ଟର ଦେଇ ପାକିସ୍ତାନରେ ପ୍ରବେଶ କରିଥିଲେ ଭାରତୀୟ ଯୁଦ୍ଧ ବିମାନ । ହେଲେ ପାକିସ୍ତାନ ବାୟୁସେନା ପକ୍ଷରୁ ସମୟୋପଯୋଗୀ ଏବଂ ପ୍ରଭାବୀ ଢଙ୍ଗରେ ଜବାବ ଦିଆଯିବାରୁ ତରବରିଆରେ ବୋମା ପକାଇ ବାଲାକୋଟ ଦେଇ ଚାଲିଯାଇଥିଲେ । କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଉରି ଆକ୍ରମଣ ପରେ ଭାରତୀୟ ସେନା ପିଓକେରେ କରିଥିବା ସର୍ଜିକାଲ ଷ୍ଟ୍ରାଇକକୁ ଅସ୍ୱୀକାର କରିଥିଲା ପାକିସ୍ତାନ । ହେଲେ ଏଥର ଆକାଶମାର୍ଗରୁ ହୋଇଥିବା ଆକ୍ରମଣ ନେଇ ପ୍ରଥମେ ସୂଚନା ଦେଇଛନ୍ତି ପାକିସ୍ତାନର ସେନା ଅଧିକାରୀ ।