ଏବେ ଯଦି ନିର୍ବାଚନ ହୁଏ, କିଏ ମାରିବ ବାଜି? ଆସିଲା ଇଣ୍ଡିଆ ଟୁଡେ-ସି-ଭୋଟରର ‘ମୁଡ୍ ଅଫ୍ ଦି ନେସନ୍’ ସର୍ଭେ ରିପୋର୍ଟ । ପ୍ରଧାନମନ୍ତ୍ରୀ ପଦ ପାଇଁ ଏବେ ବି ପ୍ରଥମ ପସନ୍ଦ ମୋଦୀ

274

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏପରି ସମୟରେ ଦେଶରେ ଯଦି ନିର୍ବାଚନ ହୁଏ କେଉଁ ଦଳର ପଲ୍ଲା ଭାରି ରହିବ? ସରକାର କିଏ ଗଢିବ? ଇଣ୍ଡିଆ ଟୁଡେ ଓ ସି ଭୋଟରର ମୁଡ ଅଫ ଦ ନେସନ୍ ସର୍ଭେରେ ଯେଉଁ ତଥ୍ୟ ଆସିଛି ତାହା ସ୍ପଷ୍ଟ ଦର୍ଶାଉଛି ଯେ ମୋଦୀ ଏବେ ସମସ୍ତଙ୍କ ଆଗରେ ଅଛନ୍ତି ।

  • ଏବେ ନିର୍ବାଚନ ହେଲେ କିଏ ଜିତିବ?
  • କ’ଣ ରହିଛି ଜନତାଙ୍କ ମୁଡ୍?

ସର୍ଭେ ଅନୁସାରେ ଏବେ ଲୋକସଭା ନିର୍ବାଚନ ହେଲେ ଏନଡିଏ ପୁଣି ସରକାର ଗଠନ କରିବ ଅର୍ଥାତ ବିଜେପି ପୁଣି କ୍ଷମତାକୁ ଫେରିବ । ସେହିପରି ୨୦୧୯ ଅପେକ୍ଷା ୟୁପିଏ ଟିକିଏ ଭଲ କରିବ ବୋଲି ସଙ୍କେତ ମିଳିଛି । ରିପୋର୍ଟ ଅନୁସାରେ ଏନଡିଏକୁ ୨୯୮ ଆସନ, ୟୁପିଏକୁ ୧୫୩ ଆସନ ଓ ଅନ୍ୟଦଳକୁ ୯୨ ଆସନ ମିଳିବ । ସେହିଭଳି ଭୋଟ୍ ପ୍ରତିଶତ ହିସାବରେ ଦେଖିଲେ ଏନଡିଏକୁ ୪୩, ୟୁପିଏକୁ ୨୯ ଓ ଅନ୍ୟ ଦଳକୁ ୨୮ ପ୍ରତିଶତ ଭୋଟ ମିଳିବା ସମ୍ଭାବନା ରହିଛି । ଦଳ ହିସାବରେ ଦେଖିଲେ ବିଜେପିିକୁ ୨୮୪ , କଂଗ୍ରେସକୁ ୬୮ ଓ ଅନ୍ୟଦଳକୁ ୧୯୧ ଆସନ ମିଳିବା ସମ୍ଭାବନା ରହିଛି । ବିଜେପିକୁ ୩୯ ପ୍ରତିଶତ, କଂଗ୍ରେସକୁ ୨୨ ଓ ଅନ୍ୟ ଦଳକୁ ୩୯ ପ୍ରତିଶତ ଭୋଟ ମିଳିବା ଆକଳନ କରିଛି ଇଣ୍ଡିଆ ଟୁଡେ-ସି ଭୋଟର ସର୍ଭେ ।

  • କେଉଁ ରାଜ୍ୟରେ କିଏ ଆଗରେ?
  • ଉତ୍ତରପ୍ରଦେଶରେ ବିଜେପିକୁ ଫାଇଦା ନା କ୍ଷତି?

ଇଣ୍ଡିଆ ଟୁଡେ-ସି- ଭୋଟର ସର୍ଭେ ରିପୋର୍ଟ ଅନୁସାରେ ଏନଡିଏକୁ ଆସାମ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଫାଇଦା ମିଳିପାରେ । ସେହିପରି ୟୁପିଏ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ବିହାରରେ ଆଗରେ ରହିବ ବୋଲି ଆକଳନ କରାଯାଇଛି । ବିଶେଷକରି ଉତ୍ତରପ୍ରଦେଶରେ ବିଜେପି ଗତଥର ଅପେକ୍ଷା ଅଧିକ ଆସନ ପାଇବ ବୋଲି ସର୍ଭେ କହିଛି ।

ଏବେ ନିର୍ବାଚନ ହେଲେ ଆସାମରେ ଏନଡିଏକୁ ମିଳିବ ୧୨ ଆସନ । ୨୦୧୯ରେ ମେଣ୍ଟକୁ ମିଳିଥିଲା ୯ ଆସନ । ତେଲେଙ୍ଗାନାରେ ଏନଡିଏ ୪ଟି ଆସନ ଜିତିଥିବାବେଳେ ଏଥର ୬ ଆସନ ପାଇବ ବୋଲି ଆକଳନ କରାଯାଇଛି । ପଶ୍ଚିମବଙ୍ଗରେ ଏନଡିଏକୁ ୨୦ ଆସନ ମିଳିବ ବୋଲି ଅନୁମାନ କରିଛି ସର୍ଭେ । ୨୦୧୯ରେ ଏନଡିଏ ଏହି ରାଜ୍ୟରେ ୧୮ ଆସନ ଜିତିଥିଲା । ଦେଶର ଅଧିକ ଆସନ ଥିବା ଉତ୍ତରପ୍ରଦେଶରେ ମୋଟ ୮୦ ଆସନ ମଧ୍ୟରୁ ଏନଡିଏକୁ ୭୦ ଆସନ ମିଳିବା ଆକଳନ ହୋଇଛି । ଗତଥର ଏନଡିଏ ଏଠାରେ ୬୪ଟି ଆସନ ଜିତିଥିଲା ।

ସେହିଭଳି କର୍ଣ୍ଣାଟକରେ ୟୁପିଏକୁ ୧୭, ମହାରାଷ୍ଟ୍ରରେ ୩୪ ଓ ବିହାରରେ ୨୫ ଆସନ ମିଳିବ ବୋଲି ଆକଳନ କରିଛି ଇଣ୍ଡିଆ ଟୁଡେ-ସି ଭୋଟର ସର୍ଭେ । ୨୦୧୯ ନିର୍ବାଚନରେ ଏହି ୩ଟି ଯାକ ରାଜ୍ୟରେ ୟୁପିଏ ଖରାପ ପ୍ରଦର୍ଶନ କରିଥିଲା । ମହାରାଷ୍ଟ୍ର ଓ ବିହାରରେ ୨୦୧୯ ପରେ ରାଜନୈତିକ ସମୀକରଣ ବଦଳିଛି ।

  • ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ?
  • ମୋଦୀ ଏବେ ବି ଆଗରେ !

ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ? ଏହି ପ୍ରଶ୍ନର ଉତ୍ତରରେ ଅଧିକ ଲୋକ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଇଣ୍ଡିଆ ଟୁଡେ ସି ଭୋଟର ସର୍ଭେ ରିପୋର୍ଟ ଅନୁସାରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ୫୨ ପ୍ରତିଶତ ଲୋକ ନରେନ୍ଦ୍ର ମୋଦୀଙ୍କୁ ବାଛିଛନ୍ତି । ସେହିପରି ୧୪ ପ୍ରତିଶତ ଲୋକ ରାହୁଲ ଗାନ୍ଧୀ ସପକ୍ଷରେ ମତ ଦେଇଛନ୍ତି । ୫ ପ୍ରତିଶତ ଲୋକ ଅରବିନ୍ଦ କେଜ୍ରିୱାଲ ଓ ୩ ପ୍ରତିଶତ ଲୋକ ଅମିତ ଶାହାଙ୍କ ସପକ୍ଷରେ ମତ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଜାନୁଆରୀରେ କରାଯାଇଥିବା ଏହି ସର୍ଭେରେ ୧ ଲକ୍ଷ ୪୦ ହଜାର ଲୋକଙ୍କ ମତାମତ ନିଆଯାଇଥିଲା ।