ମାଓବାଦୀଙ୍କ ମୁକାବିଲା ପାଇଁ କେନ୍ଦ୍ରର ନୂଆ ରଣନୀତି : ଖୁବଶୀଘ୍ର ଇସ୍ରାଏଲରୁ ଆସିବ ଅତ୍ୟାଧୁନିକ ଜ୍ଞାନକୌଶଳର ରାଡାର

29

କନକ ବ୍ୟୁରୋ : ଛତିଶଗଡ ସୁକମାରେ ମାଓବାଦୀ ଆକ୍ରମଣ ପରେ ଗୃହମନ୍ତ୍ରଣାଳୟ ଏବେ ମାଓ ମୁକାବିଲା ପାଇଁ ନୂଆ ରଣନୀତି କରିବାରେ ବ୍ୟସ୍ତ । ମାଓ ପ୍ରଭାବିତ ଅଂଚଳର ଘଂଚ ଜଙ୍ଗଲରେ ମାଓବାଦୀଙ୍କ ଗତବିଧିି ଉପରେ ନଜର ରଖିବା ଲାଗି ଖୁବଶୀଘ୍ର  ନୂଆ କୌଶଳର ସାହାରା ନେବେ ସରକାର । ଏଥିପାଇଁ ଇସ୍ରାଏଲର ସହାୟତା ନିଆଯିବ । ମିଳିଥିବା ଖବର ଅନୁସାରେ, ଗୃହ ମନ୍ତ୍ରଣାଳୟ ମାଓବାଦୀଙ୍କ ଗତିବିଧି ଜାଣିବାକୁ ଖୁବଶୀଘ୍ର ଅତ୍ୟାଧୁନିକ ଜ୍ଞାନକୌଶଳର ରାଡାର କିଣିବାକୁ ଯାଉଛନ୍ତି ।

ଇସ୍ରାଏଲରୁ ଏହି ରାଡାର କିଣିବାକୁ ପ୍ରସ୍ତୁତି ଚାଲିଛି । ଏହି ରାଡାରର ନାଁ ହେଉଛି ଫୋଲିଏଜ ପେନଟ୍ରେଟିଂ ରାଡାର । ଏହି ରାଡାର ଘଂଚ ଜଙ୍ଗଲରେ ଯେକୌଣସି ଗତିବିଧିର ସୂଚନା ଦେଇପାରିବା ଅର୍ଥାତ ମାଓ ପ୍ରଭାବିତ ଅଂଚଳର ସୁରକ୍ଷାକର୍ମୀଙ୍କୁ ଏହି ରାଡାର ଯଦି ମିଳିଯାଏ ତାହାହେଲେ ସହଜରେ ମାଓବାଦୀଙ୍କ ଗତିବିଧିକୁ ଠାବ କରାଯାଇ ଠିକ ଜବାବ ଦିଆଯାଇପାରିବ ।

ଏବେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ବିଭିନ୍ନ ପ୍ରକାରର ୟୁଏଭି ବ୍ୟବହାର କରାଯାଉଛି ।  ଆଉ ଘଂଚ ଜଙ୍ଗଲରେ ଏହା ସେଭଳି ଫଳପ୍ରଦ ହେଉନାହିଁ । ଏହି କାରଣରୁ ମାଓବାଦୀ ବାରମ୍ବାର ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରୁଛନ୍ତି ଓ ବହୁ ଧନଜୀବନ କ୍ଷୟକ୍ଷତି ଘଟୁଛି । ସୋମବାରଦିନ ସୁକମାରେ ମାଓବାଦୀ ଆକ୍ରମଣରେ ୨୫ ସିଆରପିଏଫ ଯବାନ ସଦିହ ହୋଇଥିଲେ । ଘଟଣାକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଛନ୍ତି । ମାଓ ସମସ୍ୟା ସମ୍ପର୍କରେ ଆଲୋଚନା କରିବାକୁ ମେ ୮ ତାରିଖରେ ଓଡିଶା ସମେତ ୧୦ ରାଜ୍ୟର ବୈଠକ ଡକାଯାଇଛି ।