କନକ ବ୍ୟୁରୋ: ଜନସଂଖ୍ୟାରେ ଚୀନକୁ ପଛରେ ପକାଇଦେଇଛି ଭାରତ । ୧୪୨ କୋଟି ୮୬ ଲକ୍ଷ ଜନସଂଖ୍ୟା ସହ ବିଶ୍ୱର ସବୁଠୁ ଜନବହୁଳ ଦେଶର ମାନ୍ୟତା ପାଇଛି ଭାରତ । ବିଶ୍ୱ ଜନସଂଖ୍ୟାକୁ ନେଇ ବୁଧବାର ଜାତିସଂଘ ପ୍ରକାଶ କରିଥିବା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଚୀନର ଜନସଂଖ୍ୟା ୧୪୨ କୋଟି ୫୭ ଲକ୍ଷ ରହିଥିବା ବେଳେ ଭାରତର ଜନସଂଖ୍ୟା ୧୪୨ କୋଟି ୮୬ ଲକ୍ଷ ଥିବା ରିପୋର୍ଟରେ ପ୍ରକାଶ ପାଇଛି । ୧୯୫୦, ଯେବେଠୁ ଜନସଂଖ୍ୟା ଗଣନା ଆରମ୍ଭ ହୋଇଥିଲା ସେବେଠୁ ଚୀନ ସବୁଠୁ ଜନବହୁଳ ଦେଶର ମାନ୍ୟତା ପାଇଥିଲା । ଏବେ ଆୟତନ ଅନୁସାରେ ଭାରତ ବିଶ୍ୱର ସପ୍ତମ ବୃହତ ଦେଶ ହୋଇଥିବା ବେଳେ ଜନସଂଖ୍ୟାରେ ଏକ ନମ୍ବରେ ପହଂଚିଛି । ଯାହା ଭାରତର ଚିନ୍ତା ବଢାଇବ ବୋଲି କୁହାଯାଉଛି । ସେପଟେ ଜନ୍ମହାର ବୃଦ୍ଧି ଚାହୁଁଥିବା ଚୀନପାଇଁ ବି ଚିନ୍ତା ବଢାଇଛି ।

Advertisment

କୋଭିଡ ମହାମାରୀ ଏବଂ ଅନ୍ୟାନ୍ୟ କାରଣ ଯୋଗୁ ଚୀନରେ ଜନସଂଖ୍ୟା କମିବାରେ ଲାଗିଛି ଏବଂ ଚୀନର ଜନସଂଖ୍ୟାର ଅଧାରୁ ଅଧିକ ବୟସ୍କ । ସେପଟେ ଚୀନରେ ପିଲା ଜନ୍ମହାର ମଧ୍ୟ ପୂର୍ବ ତୁଳନାରେ ଭାବେ କମିଛି । ଜନ୍ମହାର ବୃଦ୍ଧି ପାଇଁ ଜିନପିଙ୍ଗ ସରକାର ଚେଷ୍ଟା ଜାରି ରଖିଥଲେ ବି ତାହା ଏତେଟା ସଫଳ ହୋଇନାହିଁ ।

ଜନସଂଖ୍ୟା କମାଇବା ପାଇଁ ଭାରତ ସରକାରଙ୍କ ଲୋଭନୀୟ ଯୋଜନା ସତ୍ୱେ ଭାରତରେ ଜନସଂଖ୍ୟା ବଢିବାରେ ଲାଗିଛି । ଯେଉଁଥିପାଇଁ ଏବେ ଆମ ଦେଶରେ ବେକାରୀ ଏକ ମୁଖ୍ୟ ସମସ୍ୟା ହୋଇ ଠିଆହୋଇଛି । ଏପରି ସ୍ଥତିରେ ଜନସଂଖ୍ୟା ବୃଦ୍ଧି ମୋଦୀ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିବ କୁହାଯାଉଛି ।

ଏବେ ଭାରତର ଜନସଂଖ୍ୟାରୁ ଅଧାରୁ ଅଧିକ ଯୁବପିଢି, ଯେଉଁମାନଙ୍କର ବୟସ ୩୦ ବଷରୁୁ କମ୍ ।
ଜନସଂଖ୍ୟା ବଢିବା ଦ୍ୱାରା ଭାରତର ଗରିବଙ୍କ ସଂଖ୍ୟା ବଢିବ, ସାମାଜିକ ଅସ୍ଥିରତା ବଢିବ, ଆୟ କମିବ, ପରିବେଶ ପାଇଁ ଯୋଗଦାନ ମଧ୍ୟ କମିବ ।
ଭାରତ ଏବେ ବିଶ୍ୱର ଏକ ନମ୍ବର ଜନବହୁଳ ଦେଶ ହୋଇଥିବା ବେଳେ ଚୀନ ଦ୍ୱୀତିୟ, ଆମେରିକା ତୃତୀୟରେ ଅଛି ।
ଜନସଂଖ୍ୟାରେ ୨୦୫୦ ସୁଦ୍ଧା ଭାରତ ଚୀନକୁ ଟପିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । କିନ୍ତୁ ଏହାର ୨୫ ବର୍ଷ ପୂର୍ବରୁ ଭାରତ ଏହି ସୀମା ଅତିକ୍ରମ କରିଯାଇଛି ।

କୃଷି ଏବଂ ଶିଳ୍ପ ପାଇଁ ଅନୁକୁଳ ପରିବେଶ ଭାରତର ବର୍ଦ୍ଧିତ ଜନସଂଖ୍ୟାର ଅନ୍ୟ ଏକ କାରଣ । କିନ୍ତୁ ଲୋଭନୀୟ ଯୋଜନା ସତ୍ୱେ ଜନସଂଖ୍ୟା କାହିଁକି ବଢୁଛି ତାର ତର୍ଜମା କରିବା ଦରକାର । ତେବେ ଭାରତ ଏବେ ବିଶ୍ୱର ସବୁଠୁ ପ୍ରଗତିଶୀଳ ଅର୍ଥନୀତି ହୋଇଥିବାରୁ ଜନସଂଖ୍ୟା ବୃଦ୍ଧି ଏତେଟା ପ୍ରଭାବ ପକାଇନପାରେ ବୋଲି କୁହାଯାଉଛି ।