କନକ ବ୍ୟୁରୋ : ଭାରତ-ଶ୍ରୀଲଙ୍କା ଦିନିକିଆ ଶୃଙ୍ଖଳାର ଚତୁର୍ଥ ମୁକାବିଲା ଗୁରୁବାର କଲମ୍ବୋରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ୩୦୦ତମ ମ୍ୟାଚ୍ ହେବ । ଦିନିକିଆ କ୍ରିକେଟ୍ର ଅନ୍ୟତମ ଶ୍ରେଷ୍ଠ ଫିନିସର୍ର ମାନ୍ୟତା ପାଇଥିବା ଧୋନି ଆସନ୍ତାକାଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର (୪୬୩), ରାହୁଲ ଦ୍ରାବିଡ (୩୪୪), ମହମ୍ମଦ ଆଝାରୁଦ୍ଦିନ (୩୩୪), ସୌରଭ ଗାଙ୍ଗୁଲି (୩୧୧) ଓ ଯୁବରାଜ ସିଂହ (୩୦୪)ଙ୍କ କ୍ଲବରେ ସାମିଲ ହେବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ଛଡ଼ା ଧୋନିଙ୍କ ପାଖରେ ଆସନ୍ତାକାଲିର ମ୍ୟାଚ୍ରେ ଦୁଇଟି ବିଶ୍ୱ କୀର୍ତ୍ତିମାନ କରିବାର ସୁଯୋଗ ରହିବ। ଗୋଟିଏ ବ୍ୟାଟ୍ରେ ହୋଇଥିଲା ବେଳେ ଅନ୍ୟଟି ହେଉଛି ଗ୍ଲୋଭ୍ସରେ। ଧୋନି ଚଳିତ ଶୃଙ୍ଖଳାରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରାଙ୍କ ସର୍ବାଧିକ ଷ୍ଟମ୍ପିଂ କୀର୍ତ୍ତିମାନ (୯୯)ର ସମକକ୍ଷ ହୋଇ ସାରିଛନ୍ତି। ଗୁରୁବାର ଜଣେ ସିଂହଳୀ ଖେଳାଳିଙ୍କୁ ଷ୍ଟମ୍ପିଂ କରି ପାରିଲେ ଦିନିକିଆ ଇତିହାସର ପ୍ରଥମ ଓ୍ଵିକେଟ୍ ରକ୍ଷକ ଭାବେ ୧୦୦ ଜଣ ବ୍ୟାଟ୍ସମ୍ୟାନଙ୍କୁ ଷ୍ଟମ୍ପିଂ କରିବାର କୀର୍ତ୍ତିମାନ ତାଙ୍କ ନାଁରେ ଲିପିବଦ୍ଧ ହୋଇଯିବ। ସେହିଭଳି ଧୋନି ସଂପ୍ରତି ଦିନିକିଆରେ ୭୨ ଥର ଅପରାଜିତ ରହିଛନ୍ତି। ଏହା କରି ସେ ଏବେ ସନ୍ ପୋଲକ ଏବଂ ଚାମିଣ୍ଡା ଭାସଙ୍କ ସହ ସମକକ୍ଷ ହୋଇ ସାରିଛନ୍ତି। ଗୁରୁବାର ଯଦି ସେ ଅପରାଜିତ ରହି ପାରନ୍ତି ତାହାଲେ ଦିନିକିଆ କ୍ରିକେଟ୍ରେ ସର୍ବାଧିକ ଥର ଅପରାଜିତ ରହିବାର ବିରଳ କୀର୍ତ୍ତିମାନ କରିବେ ।
ଦଳଗତ ଭାବେ ଦେଖିଲେ ଭାରତୀୟ କ୍ରିକେଟ୍ ଦଳ ପୂର୍ବରୁ ଶୃଙ୍ଖଳା ଜିତି ସାରିଥିବାରୁ ତା’ ପାଖରେ ଏହି ମ୍ୟାଚ୍ରେ ପରୀକ୍ଷା ନିରୀକ୍ଷା କରିବାର ସୁଯୋଗ ରହିବ। କୁଲଦୀପ ଯାଦବ, ମନୀଷ ପାଣ୍ଡେ, ଅଜିଙ୍କ୍ୟ ରାହାଣେ ଏବଂ ସାର୍ଦୁଲ ଠାକୁରଙ୍କୁ ସୁଯୋଗ ଦେବାର ବିକଳ୍ପ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ଖୋଲା ରହିବ। ବ୍ୟକ୍ତିଗତ ଭାବେ କୋହଲି ଏହି ଶୃଙ୍ଖଳାରେ ଭଲ ଖେଳି ନାହାନ୍ତି । ସେଥିପାଇଁ ଏହି ମ୍ୟାଚ୍ରେ ସେ ଲୟକୁ ଫେରିବା ଆଶାରେ ରହିବେ। ଭାରତ ଅପେକ୍ଷା ଶ୍ରୀଲଙ୍କା ପାଇଁ କିନ୍ତୁ ଏହି ମ୍ୟାଚ୍ର ଅଧିକ ଗୁରୁତ୍ୱ ରହିବ। କାରଣ ୨୦୧୯ ବିଶ୍ୱକପ୍ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ତାକୁ ଶୃଙ୍ଖଳାର ଶେଷ ଦୁଇ ଦିନିକିଆ ଜିତିବାକୁ ହେବ। ଏଣୁ ଗୁରୁବାର ମ୍ୟାଚ୍ ହାରିଲେ ସିଂହଳୀ ଦଳକୁ ବିଶ୍ୱକପ୍ ଖେଳିବା ଲାଗି ଯୋଗ୍ୟତା ପର୍ଯ୍ୟାୟ ଖେଳିବାକୁ ପଡ଼ିବ ।
ଏଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ କିନ୍ତୁ ଶ୍ରୀଲଙ୍କାର ସମସ୍ୟା ଦ୍ୱିଗୁଣିତ ହୋଇଛି। ପୂର୍ବତନ ଅଧିନାୟକ ସନଥ ଜୟସୁରିଆଙ୍କ ନେତୃତ୍ୱାଧୀନ ଚୟନ ସମିତି ଇସ୍ତଫା ଘୋଷଣା କରି ସାରିଥିବା ବେଳେ ଏହି ଦଳ ଏକାଧିକ ପ୍ରମୁଖ ଖେଳାଳି ଆହତ ହୋଇ ଶୃଙ୍ଖଳାରୁ ବାଦ୍ ପଡ଼ି ସାରିଛନ୍ତି । ଗତ ଏକ ବର୍ଷ ଭିତରେ ଶ୍ରୀଲଙ୍କା ତା’ ଦିନିକିଆ ଦଳରେ ୪୦ ଜଣ ଖେଳାଳିଙ୍କୁ ସୁଯୋଗ ଦେଇ ସାରିଲାଣି। ତଥାପି ନିଜ ପୁରୁଣା ଚମକ ଫେରି ପାଇବାର ନିକଟତର ମଧ୍ୟ ହୋଇ ପାରି ନାହିଁ। ଦିନିକିଆ ଅଧିନାୟକ ଉପୁଲ ତରଙ୍ଗା ମନ୍ଥର ବୋଲିଂ ପାଇଁ ଦୁଇଟି ଦିନିକିଆରୁ ବାସନ୍ଦ ହେବା ପରେ ଚାମରା କାପୁଗେଡ଼ରାଙ୍କୁ କାମଚଳା ଅଧିନାୟକ କରାଯାଇଥିଲା । ସେ ମଧ୍ୟ ଆହତ ହୋଇ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ସେଥିପାଇଁ ଚତୁର୍ଥ ଦିନିକିଆରେ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ଶ୍ରୀଲଙ୍କାର ନେତୃତ୍ୱ ନେବେ। ଧନଞ୍ଜୟ ଡି’ ସିଲଭା ଓ ଦିଲସାନ ମୁନାଓ୍ଵିରାଙ୍କୁ ଶେଷ ଦୁଇ ଦିନିକିଆ ପାଇଁ ଦଳରେ ସାମିଲ କରାଯାଇଛି। ଥିସାରା ପେରେରା ଏବଂ ଓ୍ଵାନିନ୍ଦୁ ହସରଙ୍ଗା ମଧ୍ୟ ସଂରିକ୍ଷିତ ଖେଳାଳି ଭାବେ ଅଛନ୍ତି। ଗୁରୁବାରର ଗୁରୁତ୍ୱପୂର୍ଣ୍ଣ ଦିନିକିଆରେ ଶ୍ରୀଲଙ୍କା କାହାକୁ ସୁଯୋଗ ଦେଉଛି ତାହା କେବଳ ସମୟ କହି ପାରିବ ।