ଦେଶରେ ଉପରମୁହାଁ କରୋନା ଗ୍ରାଫ୍ । ଦିନକରେ ୪୬,୯୫୧ ନୂଆ ଆକ୍ରାନ୍ତ ଚିହ୍ନଟ, ୨୧୨ ମୃତ

101

କନକ ବ୍ୟୁରୋ : ଦେଶରେ ଗତ ୨୪ ଘଣ୍ଟାରେ ୪୬,୯୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ । ଏଥି ସହ ସମୁଦାୟ ସଂକ୍ରମଣ ସଂଖ୍ୟା ୧.୧୬ କୋଟିରୁ ଯଥେଷ୍ଟ ଅଧିକ ହୋଇଯାଇଛି । ଗତବର୍ଷ ନଭେମ୍ବର ମାସ ପ୍ରାରମ୍ଭ ପରେ ଏହା ହେଉଛି ରେକର୍ଡ ସଂଖ୍ୟକ ସର୍ବାଧିକ ଦୈନିକ ସଂକ୍ରମଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୬,୯୫୧ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୨୧୨ ମୃତ୍ୟୁ ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୬,୪୬,୦୮୧ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟାରେ ହୋଇଥିବା ୨୧୨ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୯,୯୬୭ରେ ପହଞ୍ଚିଛି । ସେହିଭଳି କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୨୧,୧୮୦ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୧୧,୫୧,୪୬୮ । ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୦୯୦,୮୭ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୪,୫୦,୬୫,୯୯୮ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।