ଦେଶରେ ଦିନକରେ ୧୭ ହଜାର ପାର କଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା : ୧୦୦ ଦିନ ପରେ ୧୭, ୩୩୬ ପଜିଟିଭ ଚିହ୍ନଟ

89

କନକ ବ୍ୟୁରୋ : ଦେଶରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ଭିତରେ ୧୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୯୦ ହଜାରରେ ପହଞ୍ଚିଲାଣି । ୨୪ ଘଣ୍ଟାରେ ୧୭ ହଜାର ୩୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନା କାରଣରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି ।

ସେପଟେ, କରୋନା ଟିକା ବଞ୍ଚାଇ ଦେଇଛି ୪୨ଲକ୍ଷ ଭାରତୀୟଙ୍କ ଜୀବନ । ବିଶ୍ୱର ପ୍ରସିଦ୍ଧ ମେଡିକାଲ ଜର୍ଣ୍ଣାଲ ଲାନସେଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ଦାବି କରାଯାଇଛି । ଏଥିରେ କୁହାଯାଇଛି କରୋନା ଭ୍ୟାକସିନ ୪୨ଲକ୍ଷ ଭାରତୀୟଙ୍କ ଜୀବନ ବଞ୍ଚାଇ ଦେଇଛି । ଟିକା ନେଇନଥିଲେ ଏମାନଙ୍କ ଜୀବନ ଯିବାର ଯଥେଷ୍ଟ ଆଶଙ୍କା ଥିଲା ।

୨୦୨୦ ରୁ ୨୦୨୧ ମଧ୍ୟରେ କୋଭିଡ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯାଇଥିଲା । ସେହି ସମୟରେ କୋଭିଡ ଟିକାକରଣ ଆରମ୍ଭ ହୋଇଥିଲା । ଏହି ରିପୋର୍ଟରେ ଆହୁରି କୁହାଯାଉଛି, ଟିକାକରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଯେଉଁ ଟାର୍ଗେଟ ରଖାଯାଇଥିଲା ତାହା ପୂରଣ ହୋଇଥିଲେ ଆହୁରି ପ୍ରାୟ ୬ଲକ୍ଷ ଜୀବନ ବଞ୍ଚି ଯାଇଥାନ୍ତା ।