ଆମେରିକୀୟ ଗୁଇନ୍ଦା ରିପୋର୍ଟରେ ବଡ଼ ଆଶଙ୍କା । ବଢ଼ିପାରେ ଭାରତ-ପାକିସ୍ତାନ ଉତ୍ତେଜନା । ପୁଣି ସର୍ଜିକାଲ ଷ୍ଟ୍ରାଇକ କରିପାରନ୍ତି ମୋଦୀ

195

କନକ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କକୁ ନେଇ ବଡ଼ ଆଶଙ୍କା କରିଛି ଆମେରିକା ଗୁଇନ୍ଦା ରିପୋର୍ଟ । ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହେବ ବୋଲି ରିପୋର୍ଟରେ କୁହାଯାଇଛି । ଏପରି ସ୍ଥିତିରେ ଯଦି ପାକିସ୍ତାନ ଭାରତରେ କୌଣସି ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର କରେ, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବେ । ଏମିତିକି ପାକିସ୍ତାନରେ ଭାରତ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ କରିପାରେ ବୋଲି ଆମେରିକା ଗୁଇନ୍ଦା ସଂସ୍ଥା ଜାରି କରିଥିବା ତା’ର ବାର୍ଷିକ ରିପୋର୍ଟରେ କୁହାଯାଇଛି ।

ରିପୋର୍ଟ ଅନୁସାରେ, ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ତିକ୍ତତା ବଡ଼ ଚିନ୍ତାର କାରଣ ପାଲଟିଛି । ୨୦୨୧ ପ୍ରାରମ୍ଭରେ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ପାଇଁ ଦୁଇପକ୍ଷ ରାଜି ହେବା ପରେ ଉଭୟ ଦେଶ ସେମାନଙ୍କର ସମ୍ପର୍କକୁ ସୁଦୃଢ଼ କରିବାକୁ ଆଗ୍ରହୀ ହୋଇଛନ୍ତି । ହେଲେ ଆତଙ୍କବାଦୀ ସଂଗଠନକୁ ସମର୍ଥନ କରିବାରେ ପାକିସ୍ତାନର ଇତିହାସ ବହୁତ ପୁରୁଣା । ଏପରି ସ୍ଥିତିରେ ପାକିସ୍ତାନ କୌଣସି ଉପାୟରେ ଯଦି ଭାରତକୁ ଉସୁକାଇବା ପାଇଁ ଚେଷ୍ଟା କରିବ, ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଅଧିକ ସାମରିକ ବଳ ପ୍ରଯୋଗ କରିପାରେ ।

  • ଭାରତ-ଚୀନକୁ ନେଇ ବଡ଼ ଆକଳନ
  • ଯୁଦ୍ଧର ରୂପ ନେଇପାରେ ତିକ୍ତତା

ସେପଟେ ଭାରତ ଓ ଚୀନ୍ ସମ୍ପର୍କକୁ ନେଇ ଆମେରିକା ଗୁଇନ୍ଦା ରିପୋର୍ଟ ବଡ଼ ଦାବି କରିଛି । ରିପୋର୍ଟରେ କୁହାଯାଇଛି ଯେ, ଆଗକୁ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ବଢ଼ିବ । ଆଉ ଏହା ଯୁଦ୍ଧର ରୂପ ନେଇପାରେ । ଭାରତ ଓ ଚୀନ୍ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନରେ ଲାଗିଥିବା ବେଳେ ୨୦୨୦ରେ ହିଂସାତ୍ମକ ସୀମ ସଂଘର୍ଷ ପରେ ସ୍ଥିତି ଅଶାନ୍ତ ରହିବ, ଯାହା ଦଶନ୍ଧି ମଧ୍ୟରେ ସବୁଠାରୁ ଗୁରୁତର ବୋଲି ରିପୋର୍ଟରେ କୁହାଯାଇଛି ।

ଭାରତ ଓ ଚୀନ ମଧ୍ୟରେ ସାମରିକ ଉତ୍ତେଜନା ବୃଦ୍ଧି ପାଇବା ଦ୍ୱାରା ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି । ଏହା ଆମେରିକୀୟ ନାଗରିକ ପାଇଁ ବିପଦ ସୃଷ୍ଟି କରିପାରେ । ସେଥିପାଇଁ ଆମେରିକାର ହସ୍ତକ୍ଷେପ ଜରୁରୀ ହୋଇପଡ଼ିଛି ବୋଲି ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ।