କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ ପୂର୍ବରୁ ଟିମ୍ ଇଣ୍ଡିଆର ଅଭ୍ୟାସ ମ୍ୟାଚରେ ବର୍ଷା ସାଜିଲା ବାଧକ । ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । କିନ୍ତୁ ବ୍ରିସବେନରେ ପ୍ରବଳ ବର୍ଷା କାରଣରୁ ଏହି ନ୍ୟୁଜିଲାଣ୍ଡ-ଭାରତ ଅଭ୍ୟାସ ମ୍ୟାଚ୍ ରଦ୍ଦ ହୋଇଛି । ଏପରିକି ଆଜି ଗାବାରେ କୌଣସି ମ୍ୟାଚ୍ ହେବନି ବୋଲି ବିସିସିଆଇ ଟ୍ୱିଟରୁ ସ୍ପଷ୍ଟ ହୋଇଛି । ବିଶ୍ୱକପ ଅଭିଯାନ ଆରମ୍ଭ ପୂର୍ବରୁ ଏହା ଭାରତର ଶେଷ ଅଭ୍ୟାସ ଥିଲା । ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଏହି ଅଭ୍ୟାସ ମ୍ୟାଚ୍ ଭାରତ ପାଇଁ ବେଶ ଲାଭଦାୟକ ଥିଲା । କିନ୍ତୁ ବର୍ଷା କାରଣରୁ ମ୍ୟାଚ୍ ରଦ୍ଦ ହେବା କ୍ରିକେଟ ପ୍ରଂଶସକଙ୍କୁ ନିରାଶ କରିଛି ।

Advertisment

ଏହାପୂର୍ବରୁ ଅଷ୍ଟ୍ରେଲିଆକୁ ଅଭ୍ୟାସ ମ୍ୟାଚରେ ମାତ୍ ଦେଇଥିଲା ଭାରତ । ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚର ରୋମାଞ୍ଚ ଜାରି ରହିଥିଲା । ତେବେ ଶେଷ ଓଭରରେ ସାମି ଘାତକ ବୋଲିଂ କରି ଅଷ୍ଟ୍ରେଲିଆ ହାତରୁ ମ୍ୟାଚ୍ ଛଡାଇ ଆଣିଥିଲେ । ସେହିଭଳି ସୂର୍ଯ୍ୟକୁମାର ଯାଦବ ଓ କେ.ଏଲ ରାହୁଲଙ୍କ ଦମଦାର ବ୍ୟାଟିଂ ବିରୋଧୀ ଦଳର ଚିନ୍ତା ବଢାଇଛି ।