ମାଳଦ୍ୱୀପକୁ ସାହାଯ୍ୟ କରିବ ଭାରତ ! ଆର୍ଥିକ ବିକାଶ ପାଇଁ ୧.୪ ବିଲିୟନ ଡଲାର ସହାୟତା ଘୋଷଣା କଲେ ମୋଦି ସରକାର

88

କନକ ବ୍ୟୁରୋ : ଭାରତ ସବୁବେଳେ କ୍ଷୁଦ୍ର ଦ୍ୱୀପ ଦେଶ ମାଳଦ୍ୱୀପର ବିପଦର ବନ୍ଧୁ ହୋଇ ରହିଆସିଛି । ମାଳଦ୍ୱୀପ ଏବେ ଋଣ ସଂକଟରେ ପଡିଥିବାରୁ ଭାରତ ପ୍ରାୟ ୧.୪ ବିଲିୟନ ଡଲାରର ସହାୟତା ଘୋଷଣା କରିଛି  । ମାଳଦ୍ୱୀପର ନୂଆ ରାଷ୍ଟ୍ରପତି  ଇବ୍ରାହିମ ମହମ୍ମଦ ସୋଲି ଏବେ ଭାରତ ଗ୍ରସ୍ତରେ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି । ଏହି ଅବସରରେ ମୋଦି ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା ସହିତ ଉଭୟ ଦେଶ ଭାରତ ମହାସାଗରୀୟ ଅଞ୍ଚଳରେ ସାମରିକ ସହଯୋଗ ବୃଦ୍ଧି କରିବା ଲାଗି ସହମତ ହୋଇଛନ୍ତି ।

ଭାରତ ମହାସାଗରରେ ଥିବା ଦ୍ୱୀପ ଦେଶ ମାଳଦ୍ୱୀପରେ ନିକଟରେ କ୍ଷମତା ପରିବର୍ତ୍ତନ ହୋଇଛି । ଏହି କ୍ଷୁଦ୍ର ଦେଶ ପୂର୍ବ ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ଶାସକ ଅବଦୁଲ୍ଲା ୟମିନଙ୍କ କବଳରୁ ମୁକ୍ତ ହୋଇ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ନୂଆ ରାଷ୍ଟ୍ରପତି  ଇବ୍ରାହିମ ମହମ୍ମଦ ସୋଲିଙ୍କ ଶାସନାଧୀନ ହୋଇଛି । କିନ୍ତୁ ପୂର୍ବ ରାଷ୍ଟ୍ରପତିଙ୍କ ଅମଳରେ ଚୀନ ସଂପୂର୍ଣ୍ଣ ଭାବେ ଏହି ଦେଶ ଉପରେ ପ୍ରଭାବ ବିସ୍ତାର କରିଥିଲା । ଏହା ଫଳରେ ଏହି ଦେଶ ଏବେ ଚୀନର ଋଣ ଯନ୍ତାରେ ପଡି ଛଟପଟ ହେଉଛି । ନୂଆ ସରକାର ଆସିବା ପରେ ଏବେ ଏହି ସଂକଟରୁ ମୁକ୍ତ ହେବା ପାଇଁ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ  ସହାୟତା ଲୋଡିଥିଲା ।