ବାଜି ମାରିନେଲେ ବ୍ରିଟିଶ୍ ! ୧୯ ବିଶ୍ୱକପରେ ଭାରତର ପ୍ରଥମ ପରାଜୟ, ବିରାଟ ବାହିନୀକୁ ୩୧ ରନରେ ହରାଇଲା ଇଂଲଣ୍ଡ ।

246

କନକ ବ୍ୟୁରୋ : ୨୦୧୯ ବିଶ୍ୱକପରେ ପ୍ରଥମ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ । ଆୟୋଜକ ଇଂଲଣ୍ଡ ଠାରୁ ଦଳ ୩୧ ରନରେ ପରାଜିତ ହୋଇଛି । ବର୍ମିଂହାମ ଏଜବାଷ୍ଟନ୍ ଗ୍ରାଉଣ୍ଡରେ ଆଜି ବଡ଼ ମୁକାବିଲା ଖେଳାଯାଇଥିଲା । ବିଶ୍ୱକପ୍ ଲଢ଼େଇରେ ଇଂଲଣ୍ଡ ଦେଇଥିବା ୩୩୮ ରନର ଟାର୍ଗେଟକୁ ପିଛା କରି ଶେଷରେ ପରାସ୍ତ ହୋଇଛି ଭାରତ । ରୋହିତ ଶର୍ମାଙ୍କ ଦମଦାର ଶତକ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସତ୍ୱେ ପରାଜିତ ହୋଇଛି ଦଳ । ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ଵିକେଟ ହରାଇ ୩୦୬ ରନ୍‌ କରିଛି। ଏହି ବିଜୟ ସହ ଇଂଲଣ୍ଡର ସେମିଫାଇନାଲ ମ୍ୟାଚ୍‌ ଖେଳିବାର ଆଶା ବଢ଼ିଛି ।

ଦ୍ୱିତୀୟ ଇନିଂସରେ ୩୩୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ଟିମ୍‌ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଥିଲା । ଇନିଂସ ଆରମ୍ଭରୁ ଟିମ୍‌ ଇଣ୍ଡିଆକୁ ଝଟକା ଲାଗିଥିଲା । ଟିମ୍‌ ୮ ରନ୍‌ରେ ଲୋକେଶ ରାହୁଲଙ୍କୁ ହରାଇଥିଲା । କ୍ରିସ୍‌ ଓ୍ଵକସ୍‌ଙ୍କ ବଲରେ ରାହୁଲ ଆଉଟ ହୋଇଥିଲେ । ଅଧିନାୟକ ବିରାଟ କୋହଲି (୬୬ ରନ୍‌, ୭୬ ବଲ, ୭ ଚୌକା) ୨ୟ ଓ୍ଵିକେଟରେ ରୋହିତ ଶର୍ମାଙ୍କ ସହିତ ଶତକୀୟ ଭାଗିଦାରୀ (୧୩୮ ରନ୍‌) ହୋଇପାରିଥିଲେ । ଲିଆମ ପ୍ଲଙ୍କେତଙ୍କ ବଲ ଜେମସ୍‌ ଭିନସ୍‌ଙ୍କୁ କ୍ୟାଚ୍‌ ଦେଇ କୋହଲି ଆଉଟ୍‌ ହୋଇଥିଲେ ।

ଓପନର ରୋହିତ ଶର୍ମା ଶତକ ହାସଲ କରିଥିଲେ । ସେ ୧୦୯ଟି ବଲ ଖେଳି ୧୫ଟି ଚୌକା ସହାୟତାରେ ୧୦୨ ରନ୍‌ କରିଥିଲେ । କ୍ରିସ୍‌ ଓ୍ଵକସ୍‌ଙ୍କ ବଲ ଜୋସ୍‌ ବଟଲରଙ୍କୁ କ୍ୟାଚ ଦେଇ ଆଉଟ୍‌ ହୋଇଥିଲେ । ଭାରତ ୧୯୮ ରନ୍‌ରେ ୩ୟ ଓ୍ଵିକେଟ୍‌ ଭାବେ ରୋହିତଙ୍କୁ ହରାଇଥିଲା । ଇଂଲଣ୍ଡର ୪ର୍ଥ ଶିକାର ହୋଇଥିଲେ ଋଷଭ ପନ୍ତ । ପନ୍ତ (୩୨ ରନ୍‌, ୨୯ ବଲ, ୪ ଚୌକା) ଛକା ମାରିବାକୁ ଉଦ୍ୟମ କରି ଲିଆମ ପ୍ଲଙ୍କେତଙ୍କ ବଲ କ୍ରିସ୍‌ ଓ୍ଵକସ୍‌ଙ୍କୁ ଦେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୩୩ଟି ବଲ ଖେଳି ୪୫ ରନ୍‌ କରିଥିଲେ । ଏଥିରେ ୪ଟି ଚୌକା ସାମିଲ ଥିଲା । ମହେନ୍ଦ୍ର ସିଂହ ଧୋନି ଅପରାଜିତ ୪୨ ରନ ଓ କେଦାର ଯାଦବ ଅପରାଜିତ ୧୨ ରନ୍‌ କରିଥିଲେ ।

ବର୍ମିଂହାମରେ ଖେଳାଯାଇଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ତେବେ ନିର୍ଦ୍ଧାରିତ ୫୦ ଓଭରରେ ଇଂଲଣ୍ଡ ୭ଟି ୱିକେଟ୍ ହରାଇ ୩୩୭ ରନ୍ ସଂଗ୍ରହ କରିଥିଲା ।ପ୍ରଥମରୁ ହିଁ ବଡ଼ ଟର୍ଗେଟ୍ ନେଇ ଦଳ ତା’ର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା । କାରଣ ଏହି ମ୍ୟାଚ୍ ଇଂଲଣ୍ଡ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା । କର ବା’ ମର ସ୍ଥିତିରେ ରହିଥିଲା ଇଂଲଣ୍ଡ । ଏହି ମ୍ୟାଚ୍ ଉପରେ ନିର୍ଭର କରୁଥିଲା, ଘରୋଇ ଦଳର ସେମିଫାଇନାଲ ଅଭିଯାନ । ଯେଉଁ ଆଭିମୁଖ୍ୟ ନେଇ ଇଂଲଣ୍ଡର ଦୁଇ ଓପନର୍ ଜସନ୍ ରୟ ଓ ବେୟାରଷ୍ଟ୍ରୋ ପଡ଼ିଆକୁ ଓହ୍ଲାଇଥିଲେ, ପ୍ରଥମ ଓଭରରୁ ତାହା ଜଣା ପଡିଯାଇଥିଲା । ୨୩ ତମ ଓଭର ପର୍ଯ୍ୟନ୍ତ ଓପନିଂ ଯୋଡିକୁ ଭାଙ୍ଗି ପାରିନଥିଲେ ଭାରତୀୟ ବୋଲର । ଅପେକ୍ଷାକୃତ ଛୋଟ ଗ୍ରାଉଣ୍ଡର ଫାଇଦା ଉଠାଇ ପଡ଼ିଆ ଚାରିପଟେ ଚୌକା ଛକାର ବର୍ଷା କରିଥିଲେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ।

୧୬୦ ରନ୍ ସ୍କୋର ଥିବା ବେଳେ କୁଲଦୀପ ଯାଦବଙ୍କ ବଲରେ କ୍ୟାଚ୍ ଦେଇଥିଲେ ଜସନ୍ ରୟ । ଜସନ ୬୬ ରନ୍ କରିବାକୁ ସମର୍ଥ ହୋଇଥିବା ବେଳେ ବେୟାରଷ୍ଟ୍ରୋ ୧୧୧ ରନ୍ କରି ଶତକୀୟ ପାଳି ଖେଳିଥିଲେ । ସାମିଙ୍କ ବଲରେ ବେୟାରଷ୍ଟ୍ରୋ ଆଉଟ୍ ହେବା ପରେ ରୁଟ୍ ସମ୍ଭାଳିଥିଲେ ବ୍ୟାଟିଂ । ରୁଟ୍ ୪୪ ରନ୍ କରି ସେହି ସାମିଙ୍କ ବଲରେ ଆଉଟ୍ ହୋଇଥିଲେ । କ୍ୟାପଟେନ୍ ମୋରଗାନ୍ ମାତ୍ର ୧ ରନ୍ କରି ଆଉଟ୍ ହୋଇଯିବା ପରେ ରନ୍ ସଂଗ୍ରହରେ ସାମାନ୍ୟ ଧିମା ପଡି ଯାଇଥିଲା ଇଂଲଣ୍ଡ । ତେବେ ଷ୍ଟୋକ୍ସ, କ୍ରିଜକୁ ଆସିବା ପରେ ପୁଣି ସ୍କୋର ବୋର୍ଡକୁ ଦ୍ରୁତ ଗତିରେ ବଢ଼ାଇଥିଲା ଇଂଲଣ୍ଡ । ବୁମରାଙ୍କ ବଲରେ ଆଉଟ୍ ହେବା ପୂର୍ବରୁ ମାତ୍ର ୫୪ ବଲରେ ୭୯ ରନ୍ କରିଥିଲେ ଷ୍ଟୋକ୍ସ । ମହମ୍ମଦ ସାମି ୫ ୱିକେଟ୍ ନେଇଥିବା ବେଳେ ବୁମରା ଓ କୁଲଦୀପଙ୍କୁ ମିଳିଥିଲା ଗୋଟିଏ ଲେଖାଁଏ ୱିକେଟ୍ ।