ଅର୍ଥନୀତିରେ ଆଗକୁ ବଢୁଛି ଦେଶ । ଅଭିବୃଦ୍ଧି ହାରରେ ସମସ୍ତଙ୍କୁ ପଛରେ ପକାଇଲା ଭାରତ

183

କନକ ବ୍ୟୁରୋ: ବିଶ୍ୱ ଅର୍ଥନୀତିର ଅବସ୍ଥା ଭଲ ନଥିବାବେଳେ ଭାରତ ପାଇଁ ଆସିଛି ଖୁସିର ଖବର । ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଆଗରେ ରହିଛି ଭାରତ । ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିଛି । ଭାରତ ପାଇଁ ଏହା ଶୁଭ ଖବର ବୋଲି ଅର୍ଥନୀତି ବିଶେଷଜ୍ଞ ଆକଳନ କରୁଥିବାବେଳେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।

  • ଅର୍ଥନୀତିରେ ଆଗକୁ ବଢୁଛି ଦେଶ
  • ଅଭିବୃଦ୍ଧି ହାରରେ ସମସ୍ତଙ୍କୁ ପଛରେ ପକାଇଲା ଭାରତ

ଜିଡିପି ଅଭିବୃଦ୍ଧି ହାର ବଡ଼ ବଡ଼ ବିକଶିତ ଦେଶକୁ ପଛରେ ପକାଇ ଦେଇଛି ଭାରତ । ଏପରିକି ଆମେରିକା, ଚୀନର ଅଭିବୃଦ୍ଧି ହାର ତୁଳନାରେ ଭାରତ ଭଲ ପ୍ରଦର୍ଶନ କରିଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ‘ଏନଏସଓ’ର ତଥ୍ୟ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ରହିଛି ୭.୨ ପ୍ରତିଶତ । ଯାହା ସାରା ବିଶ୍ୱରେ ସର୍ବାଧିକ । ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ଆରମ୍ଭ କରି ବିଶ୍ୱର ବିଭିନ୍ନ ସଂସ୍ଥା ୨୦୨୨-୨୩ରେ ଭାରତର ଅଭିବୃଦ୍ଧି ୭ ପ୍ରତିଶତ ଭିତରେ ରହିବ ବୋଲି ଆକଳନ କରିଥିଲେ, କିନ୍ତୁ ଅଭିବୃଦ୍ଧି ତାଠାରୁ ଅଧିକ ରହିଛି ।

କରୋନା କାଳରେ ପ୍ରଭାବିତ ହୋଇଥିଲା ଅର୍ଥନୀତି । ମ୍ୟାନୁଫାକଚରିଂ ଶିଳ୍ପ ମାନ୍ଦାବସ୍ଥା ନେଇ ଗତି କରିଥିଲା । ସାରା ବିଶ୍ୱର ଅର୍ଥନୀତି ଉପରେ ବହୁ ପ୍ରଭାବ ପଡିଥିଲା, ଭାରତ ବି ଏଥିରୁ ବାଦ୍ ପଡିନଥିଲା । କିନ୍ତୁ ଧିରେ ଧିରେ ବଦଳିଛି ସ୍ଥିତି । ଭାରତରେ ସ୍ଥିତି ସ୍ୱାଭାବିକ ହେଉଥିବା ବେଳେ କର୍ମ ସଂସ୍ଥାନ ବି ବଢିଛି । ନିର୍ମାଣ କ୍ଷେତ୍ରରେ ୧୦.୪ ପ୍ରତିଶତ ଅଭିବୃଦ୍ଧି ହୋଇଥିବାବେଳେ ବାଣିଜ୍ୟ, ହୋଟେଲ ଓ ପରିବହନ କ୍ଷେତ୍ରରେ ୯ ପ୍ରତିଶତ ବୃଦ୍ଧି ହୋଇଛି । ରିଅଲ ଇଷ୍ଟେଟରେ ଅଭିବୃଦ୍ଧି ୭.୧ ପ୍ରତିଶତ ଓ କୃଷି କ୍ଷେତ୍ରରେ ୫.୫ ପ୍ରତିଶତ ଅଭିବୃଦ୍ଧି ହୋଇଛି ।

୨୦୨୨-୨୩ରେ ଭାରତର ଅଭିବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକାଶ କରିବା ସହ କହିଛନ୍ତି, ଅନେକ ଆହ୍ୱାନ ସତ୍ତେ୍ୱ ଏହା ଭାରତୀୟ ଅର୍ଥନୀତିର ସ୍ଥିରତାକୁ ଦର୍ଶାଉଛି । ତେଣୁ ଆମ ଅର୍ଥନୀତି ସଠିକ ପଥରେ ରହିଛି । ତେବେ ଏଥିରେ ଖୁସି ହେବାର କୌଣସି କାରଣ ନାହିଁ ବୋଲି କହିଛି କଂଗ୍ରେସ । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ଉତ୍ପାଦନ କ୍ଷେତ୍ରରେ ବିଶେଷ ଉନ୍ନତି ହେଉନାହିଁ କି ଉପଯୋଗ ମଧ୍ୟ ଆଖିଦୃଶିଆ ହେଉନାହିଁ । ତେଣୁ ଏହା ଦେଶର ଅର୍ଥନୀତି ପାଇଁ ଭଲ ଖବର ନୁହେଁ ବୋଲି କହିଛନ୍ତି ଜୟରାମ ରମେଶ ।