କରୋନା ଟିକାକରଣରେ ଭାରତ ଦ୍ରୁତତମ ଦେଶ ଭାବରେ ୪ ମିଲିଅନ୍ ବା ୪୦ ଲକ୍ଷ ଛୁଇଁବାକୁ ଯାଉଛି । ଟିକାକରଣ ଆରମ୍ଭ ହେବାର ମାତ୍ର ୧୮ ଦିନରେ ଏହି ସଫଳତା ମିଳିଛି । ଏହି ସମୟରେ ଦେଶର ୪୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି । ତେବେ ଏହି ସ୍ତରକୁ ଛୁଇବା ପାଇଁ ଆମେରିକାରୁ ୨୦ ଦିନ ଓ ୟୁକେକୁ ଲାଗିଥିଲା ୩୯ ଦିନ । ଫେବୃଆରୀ ୨ ତାରିଖ ସୁଦ୍ଧା ଦେଶର ମଧ୍ୟ ପ୍ରଦେଶରେ ସର୍ବାଧିକ ୬୯.୪ ପ୍ରତିଶତ ଟିକାକରଣ ଶେଷ ହୋଇ ସାରିଛି । ରାଜସ୍ଥାନରେ ଏହି ସଂଖ୍ୟା ୬୪.୭ ପ୍ରତିଶତ । ମଣିପୁରରେ ସବୁଠୁ କମ୍ ୧୦ ପ୍ରତିଶତ ତାଲିକାଭୁକ୍ତ ଲୋକଙ୍କୁ ଟିକାକରଣ କରାଯାଇଛି । ୫୦ ପ୍ରତିଶତରୁ ଅଧିକ ଟିକାକରଣ ସାରିଥିବା ରାଜ୍ୟ ତାଲିକାରେ ରହିଛି ଓଡିଶା, କେରଳ, ହରିଆଣା ଓ ଗୁଜରାଟ ପରି ରାଜ୍ୟ । କେନ୍ଦ୍ର ସରକାର ଆସନ୍ତା ମାର୍ଚ- ଏପ୍ରିଲ ସୁଦ୍ଧା ତିନି କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ ।
ଏକ ବିରଳ ଉପଲବ୍ଧି କ୍ରମରେ ଭାରତ ୪୦ ଲକ୍ଷ ହିତାଧିକାରୀଙ୍କର କୋଭିଡ୍ ଟିକାକରଣ କରିବାରେ ବିଶ୍ବର ଦ୍ରୁତତମ ଦେଶ ହେବାର ସୌଭାଗ୍ୟ ଅର୍ଜନ କରିଛି। ମାତ୍ର ୧୮ ଦିନ ଭିତରେ ଦେଶ ଏହି ଲକ୍ଷ୍ୟ ହାସଲ କରି ପାରିଥିବା ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଟିକାକରଣ ସଂଖ୍ୟା ହିସାବରେ ଗତ ପହିଲାରେ ଭାରତ ବିଶ୍ବର ପ୍ରଥମ ୫ ରାଷ୍ଟ୍ର ମଧ୍ୟରେ ରହିଥିଲା। ତେବେ ଦେଶରେ ଜାରି ରହିଥିବା ଦ୍ରୁତ ଟିକାକରଣ ପ୍ରକ୍ରିୟା ଯୋଗୁଁ ଭାରତ ଏହି ରେକର୍ଡର ଅଧିକାରୀ ହୋଇପାରିଛି। ସେହିପରି ଗତ ୨୪ ଘଣ୍ଟା ଭିତରେ ଓଡ଼ିଶା, ନାଗାଲାଣ୍ଡ, ଅରୁଣାଚଳପ୍ରଦେଶ, ଗୋଆ ଓ ପଣ୍ଡିଚେରି ଆଦି ଦେଶର ୧୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କେହି ଜଣେ ବି କୋଭିଡ୍ରେ ପ୍ରାଣ ହରାଇନଥିବା ଖବର ଏକ ଶୁଭ ସୂଚନା ବୋଲି କୁହାଯାଇଛି। ଅପରପକ୍ଷେ, ଏହି ସମୟ ଭିତରେ କୋଭିଡ୍ ରୋଗୀଙ୍କ ସଂଖ୍ୟା ୧,୬୦,୦୫୭କୁ ଖସି ଆସିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ଏହା ସର୍ବନିମ୍ନ ୧.୫ ପ୍ରତିଶତ ହୋଇଛି। ସେହିପରି ଗତ ୭ ମାସ ଭିତରେ ନୂତନ ପୀଡ଼ିତଙ୍କ ସଂଖ୍ୟା ସର୍ବନିମ୍ନ ୧୧,୦୩୯ ରହିଥିବା ବେଳେ ୧୪,୨୨୫ ଜଣ ଆରୋଗ୍ୟଲାଭ କରିଛନ୍ତି।
Comments are closed.