ମଣିଷଙ୍କ ପରେ ଦେଶରେ ପଶୁଙ୍କ ପାଇଁ ଲଂଚ୍ ହେଲା କରୋନା ନିରୋଧୀ ଟିକା, ଜାଣନ୍ତୁ କଣ ରହିଛି ସ୍ୱତନ୍ତ୍ରତା

71

କନକ ବ୍ୟୁରୋ : ସାରା ବିଶ୍ୱରେ କରୋନା ଏକ ମହାମାରୀର ରୂପ ନେଇଛି । ଏହି କ୍ରମରେ କରୋନା ଭୂତାଣୁ ପ୍ରଥମେ ମଣିଷଙ୍କୁ ସଂକ୍ରମିତ କରୁଥିବା ଦେଖିବାକୁ ମିଳିଥିଲା । ହେଲେ କରୋନାର ଦ୍ୱିତୀୟ ଲହର ବେଳେ ଏହି ଭୂତାଣୁ ପଶୁମାନଙ୍କୁ ବି ସଂକ୍ରମିତ କରିପାରେ ବୋଲି କୁହାଯାଇଥିଲା । ଏହା ସହ କିଛି ଚିଡିଆଖାନାରେ ବି କିଛି ପଶୁଙ୍କ ଠାରେ ଏହି କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ଏସବୁକୁ ଦୃଷ୍ଟିରେ ରଖି ଏବେ ଦେଶରେ ମଣିଷଙ୍କ ପରେ ପଶୁମାନଙ୍କ ପାଇଁ ମଧ୍ୟ କରୋନା ନିରୋଧୀ ଟିକା ଲଂଚ କରାଯାଇଛି ।

ଏହି ଟିକା ପୁରା ସ୍ୱଦେଶୀ ବୋଲି କୁହାଯାଉଛି । ଏହି ଟିକାର ହରିଆଣା ସ୍ଥିତ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅନ ଇକ୍ୱିବନ୍ସ ତରଫରୁ ପ୍ରସ୍ତୁତ କରାଯାଇଛି । ଏହି ଟିକାର ନାମ ଅନୋକୋଭାକ୍ସ ରଖାଯାଇଛି । ଏହି ଟିକାର ସ୍ୱତନ୍ତ୍ରତା ହେଉଛି ଏହା କରୋନାର ଡେଲ୍ଟା ଓ ଓମିକ୍ରନ ଭାରିଆଣ୍ଟ ଉପରେ ବି ପ୍ରଭାବ ପକାଇବ । କେବଳ ଭାକ୍ସିନ ନୁହେଁ ପଶୁମାନଙ୍କ ପାଇଁ ଆଣ୍ଟିବଡି ଡିଟେକ୍ସନ କିଟ୍ ବି ପ୍ରସ୍ତୁତ କରାଯାଇଛି ।

ଆଇସିଏଆର ଦାବି କରିଛି କି ଏହି ଟିକା ପଶୁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାରେ ସହାୟକ ହେଉଛି । ଏହି ଟିକାରେ କରୋନାର ଡେଲ୍ଟା ଆଣ୍ଟିଜେନ ଓ ସହାୟତା ପାଇଁ ଲାହାଇଡ୍ରୋଜେଲ ମିଶ୍ରଣ କରାଯାଇଛି । ସବୁଠାରୁ ବଡକଥା କି ଏହି ଟିକାକୁ କକୁର, ସିଂହ,ମୂଷା ଭଳି ପଶୁମାନଙ୍କୁ ଦିଆଯାଇ ପାରିବ ।

କହିରଖୁ କି ୨୦୨୦ ମସିହାରେ ହଂଗକଂଗରେ ଏକ କୁକୁର ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ଏହାସହ ସେହିବର୍ଷ ସେନ ଡିଏଗୋର ଏକ ସଫାରିରେ ୮ ଟି ଗରିଲାଙ୍କ ଠାରେ ମଧ୍ୟ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ଏସବୁକୁ ଦୃଷ୍ଟିରେ ରଖି ଭାରତ ସରକାର ଏବେ ଏହି ଟିକା ପ୍ରସ୍ତୁତ ନେଇ ଜୋର ଦେଇଥିଲେ ଓ ଏବେ ଏହାକୁ ସଫଳତା ମିଳିଛି ।