ଭାରତର ପଳାତକକୁ କତରରେ ସ୍ୱାଗତ । ଫିଫା ବିଶ୍ୱକପରେ ଧାର୍ମିକ ପ୍ରଚାର କରିବେ ପଳାତକ ଜାକିର ନାଏକ । 

138

କନକ ବ୍ୟୁରୋ : କତରରେ ଆରମ୍ଭ ହୋଇଛି ଫୁଟବଲ ବିଶ୍ୱକପର ମହାକୁମ୍ଭ । ପୂରା ବିଶ୍ୱରୁ ଫୁଟବଲପ୍ରେମୀଙ୍କ ସୁଅ ଏବେ କତରକୁ ଛୁଟୁଛି । ଆଉ ଏସବୁ ଭିତରେ ଭାରତକୁ ବଡ ଝଟକା ଦେଇଛି କତର । ଭାରତର ଫେରାର ହୋଇଥିବା ଜାକିର ନାଏକଙ୍କୁ ୨୦୨୨ ବିଶ୍ୱକପରେ ଧାର୍ମିକ ପ୍ରବଚନ ଦେବାକୁ କତରକୁ ଆମନ୍ତ୍ରଣ କରାଯାଇଛି । ଘୃଣା ସୃଷ୍ଟିକାରୀ ଭାଷଣ ଦେଉଥିବାରୁ ଜାକିରଙ୍କୁ ଭାରତ ପ୍ରତିବନ୍ଧିତ କରିଛି । ଏପରିକି ଭାରତରୁ ଫେରାର ହେବା ପରେ ଏବେ ଜାକିର ନାଏକ ମାଲେସିଆରେ ଖୁଲମଖୁଲା ବୁଲୁଛି ।

୨୦୧୬ ଶେଷ ଆଡକୁ ଜାକିର ନାଏକଙ୍କ ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନକୁ ପ୍ରତିବନ୍ଧିତ ଘୋଷଣା କରିଥିଲା ଭାରତ । କାରଣ ଏହି ସଂସ୍ଥା ଦ୍ୱାରା ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ହିଂସା,ଘୃଣା ଭାବ ସୃଷ୍ଟି କରିବା ଭଳି ଅଭିଯୋଗ ଆସିଥିଲା । ଆଉ ଏହାର ଯଞ୍ଚ କରି ଏହା ଉପରେ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଥିଲା ଭାରତ । ଏହି ସଂସ୍ଥା ଅଧିନରେ ଏକ ଟିଭି ଚ୍ୟାନେଲ ମଧ୍ୟ ରହିଥିଲା । ଯାହା ଜରିଆରେ କୋଟିଏ ଲୋକଙ୍କ ପାଖରେ ନିଜର ମତ ରଖୁଥିଲେ ଜାକିର ନାଏକ । ତେବେ ହିଂସା ଉଦ୍ରେକକାରୀ ଭାଷଣ ପାଇଁ ଜାକିର ନାଏକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ପ୍ରସ୍ତୁତ ହେଉଥିବା ବେଳେ ମାଲେସିଆ ଲୁଚି ପଳାଇଥିଲେ ଜାକିର । ଜାକିରଙ୍କ ସଂସ୍ଥା ଜରିଆରେ ଦେଶର ସୁରକ୍ଷା ପ୍ରତି ବିପଦ ଥିବା ଅନୁମାନ କରିଥିଲା କେନ୍ଦ୍ର ସରକାର । ଏପରିକି ଦେଶରେ ଶାନ୍ତି, ସାମ୍ପ୍ରଦାୟିକ ସଦଭାବ ପ୍ରତି ଜାକିର ନାଏକଙ୍କ ସଂସ୍ଥା ବିପଦଜନକ ରହିଥିବା କଥା ସ୍ପଷ୍ଟ କରିଥିଲା କେନ୍ଦ୍ର ।

ତେବେ ଏସବୁ ଭିତରେ ପ୍ରଥମଥର ପାଇଁ ମୁସଲିମ ଦେଶରେ ଆୟୋଜିତ ହେଉଛି ଫିଫା ବିଶ୍ୱକପ୍  ।ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଇସଲାମର ପ୍ରଚାର ପାଇଁ କତରରେ ଫିଫା ବିଶ୍ୱକପ୍ ଆୟୋଜନ ହେଲା ଭଳି ଲାଗୁଛି । ତେବେ କତର ପ୍ରଥମଥର ପାଇଁ ଭାରତ ସହ ଏଭଳି ବ୍ୟବହାର କରିନାହିଁ ବରଂ ପୂର୍ବରୁ ମଧ୍ୟ ବିବାଦୀୟ ଭାରତୀୟ ଚିତ୍ରକର ଏମଏଫ ହୁସେନଙ୍କୁ ଶରଣ ଦେଇଥିଲା । ସେହିଭଳି ନୁପୁର ଶର୍ମା ବିବାଦରେ ଭାରତକୁ ବିରୋଧ କରୁଥିବା ଦେଶ ଗୁଡିକର ନେତୃତ୍ୱ ନେଇଥିଲା କତର । ତେଣୁ ଜାକିର ନାଏକଙ୍କୁ ଇସଲାମର ପ୍ରଚାର ପାଇଁ କତର ଡାକିବା ଭାରତକୁ ସେହିଭଳି ଆଶ୍ଚର୍ଯ୍ୟନ୍ୱିତ କରିନାହିଁ । କାରଣ ଦୀର୍ଘ ବର୍ଷ ହେବ ଅନେକ ପ୍ରସଙ୍ଗରେ ଭାରତ ବିରୋଧୀ ଆଭିମୁଖ୍ୟ ରଖି ଆସୁଛି କତର ।