ପବନରେ ବୁଲୁଛି କରୋନା ଭୂତାଣୁ ? ବାୟୁରେ ବ୍ୟାପେ କି ଭାଇରସ ? ହାଡଫୁଟି, ମିଳିମିଳା ଭଳି ପବନରେ ପ୍ରବାହିତ ହୋଇ ସୁସ୍ଥ ଲୋକକୁ କରିପାରେ ସଂକ୍ରମିତ । ୩୨ ଦେଶର ୨୩୯ ବୈଜ୍ଞାନିକଙ୍କ ଦାବିକୁ ମାନିଗଲା ‘ହୁ’

2,004

କନକ ବ୍ୟୁରୋ: ସାରାବିଶ୍ୱରେ ମାଡିଚାଲିଥିବା କରୋନା ମହାମାରୀକୁ ନେଇ ସାଂଘାତିକ ଖବର ଆସିଛି । ଯେତେବେଳେ କୋଭିଡ-୧୯ ଭୂତାଣୁ ବାୟୁମଣ୍ଡଳରେ ଘୁରିବୁଲେ ବୋଲି ଏକ ନୂଆ ତଥ୍ୟ ଜଣାପଡିଛି । ଅର୍ଥାତ ଚିକେନପକ୍ସ ବା ହାଡଫୁଟି ଭଳି ଏହି ଭୂତାଣୁ ପବନରେ ରହି ସୁସ୍ଥ ବ୍ୟକ୍ତିକୁ ସଂକ୍ରମିତ କରିବାର ଆଶଙ୍କା ରହିଛି । ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ, କରୋନା ଏହି ଭୟଙ୍କର ଦିଗ ସଂପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦୃଷ୍ଟି ଆକର୍ଷଣ କରିଥିଲେ । ହୁ ମଧ୍ୟ ଏହାକୁ ସ୍ୱୀକାର କରିଛି । କିନ୍ତୁ ଏଥିପାଇଁ ଅଧିକ ଗବେଷଣା ଆବଶ୍ୟକ ବୋଲି ମଧ୍ୟ ସ୍ପଷ୍ଟ କରିଛି ।

କ’ଣ ପବନରେ ବୁଲୁଛି କରୋନା ଭୂତାଣୁ? ହାଡ଼ଫୁଟି ଭଳି ହୋଇପାରେ କି ସଂକ୍ରମିତ? ମହାମାରୀ କରୋନାକୁ ନେଇ ଏହିଭଳି ଏକ ଭୟାବହ ଆଶଙ୍କା ପ୍ରକାଶ ପାଇଛି । କାରଣ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱୀକାର କରିଛି ଯେ, କରୋନା ବାୟୁବାହିତ । ଅର୍ଥାତ କରୋନା ଭୂତାଣୁ ବାୟୁ ଦ୍ୱାରା ମଧ୍ୟ ପରିବାହିତ ହୋଇପାରେ । କିନ୍ତୁ ଏହା ଉପରେ ଅଧିକ ଗବେଷଣା ଆବଶ୍ୟକ ବୋଲି ମଧ୍ୟ ସ୍ପଷ୍ଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- ହୁ’ । କାଶିବା କିମ୍ବା ଛିଙ୍କିବା ଦ୍ୱାରା ଜଣେ ବ୍ୟକ୍ତିଠାରୁ ନିର୍ଗତ ହେଉଥିବା ଡ୍ରପଲେଟ୍ସ ବା ଜଳୀୟ କଣାରେ କରୋନା ଭୂତାଣୁ ସଂକ୍ରମିତ ହୁଏ ବୋଲି ଡବ୍ଲୁଏଚଓ ପକ୍ଷରୁ କୁହାଯାଉଥିଲା । ଏବେ ବାୟୁ ମଣ୍ଡଳରେ ଭାସମାନ ଅବସ୍ଥାରେ ଛୋଟ ଛୋଟ ଜଳକଣିକା ଦ୍ୱାରା ମଧ୍ୟ କରୋନା ଭୂତାଣୁ ସଂକ୍ରମିତ ହେବାର ଆଶଙ୍କା ରହିଥିବା ସ୍ୱୀକାର କରିଛି ହୁ’ । ଏଥିପାଇଁ ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ ଦେଇଥିବା ମତାମତକୁ ହୁ’ ଗ୍ରହଣ କରିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଚିଠି ଲେଖି ବିଶ୍ୱର ବିଭିନ୍ନ ଦେଶର ବୈଜ୍ଞାନିକମାନେ ଗାଇଡଲାଇନରେ ପରିବର୍ତନ କରିବାକୁ ପରାମର୍ଶ ଦେଇଥିଲେ । ବିଶେକ କରି ଅତି ଗହଳି ସ୍ଥାନ, ନିବୁଜ କୋଠରୀ , ଅଳ୍ପ ବାୟୁ ଚଳାଚଳ କରୁଥିବା ସ୍ଥାନରେ କରୋନା ଭୂତାଣୁ ବାୟୁ ଦ୍ୱାରା ସୁସ୍ଥ ଲୋକ ଦେହକୁ ସଂକ୍ରମିତ ହୋଇପାରେ ବୋଲି ବୈଜ୍ଞାନିକମାନେ ଦାବି କରିଥିଲେ । ଏନେଇ ହୁ’ର ସଂକ୍ରମଣ ନିବାରଣ ଓ ନିୟନ୍ତ୍ରଣ ପ୍ରମୁଖ କହିଛନ୍ତି ଯେ, ଏହି ଦାବିକୁ ପ୍ରମାଣ କରିବା ଲାଗି ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ପ୍ରମାଣ ମିଳିଲେ ଯାଇ ଡବ୍ଲୁଏଚଓ ତାର ଗାଇଡଲାଇନରେ ପରିବର୍ତନ କରିବ ।
ଗତ ଏପ୍ରିଲ ମାସରୁ କରୋନାକୁ ବାୟୁବାହିତ ବୋଲି କହିସାରିଛି ବ୍ରିଟେନର ନ୍ୟାସନାଲ ହେଲଥ ସେଂଟର । ପବନରେ ଭୂତାଣୁ ସଂକ୍ରମିତ ହେବା କମ୍ୟୁନିଟି ଟ୍ରାନସମିଶନ ବା ଗୋଷ୍ଠୀ ସଂକ୍ରମଣର ପ୍ରମୁଖ କାରଣ ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର ।

କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ବର୍ତମାନ କେବଳ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଉପରେ ଗୁରୁତ୍ୱ ଦେଉଛି ହୁ । କିନ୍ତୁ ଏହା ବାୟୁବାହିତ ବୋଲି ପ୍ରମାଣ ସିଦ୍ଧ ହେଲେ ତିନି ଲେୟାର ବିଶିଷ୍ଟ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇ ପାରେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.