ଆସନ୍ତାକାଲି ଠାରୁ ଭାରତ-ଇଂଲଣ୍ଡ ଟି-୨୦ ସିରିଜ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଫର୍ମରେ ଅଛନ୍ତି ଏକାଧିକ ଖେଳାଳି, କୋହଲିଙ୍କୁ ଘାରିଲାଣି ଦଳ ଚୟନ ଚିନ୍ତା 

208

କନକ ବ୍ୟୁରୋ: ଆସନ୍ତାକାଲି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଟି ୨୦ ସିରିଜର ପ୍ରଥମ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଧଳା ବଲରେ ଖେଳାଯିବ ଏହି ମ୍ୟାଚ୍ । ଟେଷ୍ଟ ସିରିଜକୁ ୩-୧ରେ ଜିତିଥିବା ଭାରତୀୟ ଦଳ ଏହି ଟି ୨୦ ସିରିଜ ଆରମ୍ଭରୁ ଭଲ କରିବାକୁ ଯୋଜନା ରଖିଛି । ତେବେ ଏହି ଟି ୨୦ ସିରିଜରେ ଦଳ ଚୟନ କ୍ୟାପଟେନ୍ କୋହଲିଙ୍କ ପାଇଁ ସୃଷ୍ଟି କରିବ ବଡ ଆହ୍ୱାନ ।

ଓପନିଂରେ ରୋହିତ , ଶିଖର ଓ କେ ଏଲ ରାହୁଲଙ୍କ ମଧ୍ୟରୁ କାହାକୁ ଖେଳାଇବେ ତାହା ଏକ ଚିନ୍ତାର ବିଷୟ । କୋହଲି ତୃତୀୟ ସ୍ଥାନରେ ଖେଳିଲେ , ହାର୍ଦ୍ଦିକ ପାଣ୍ଡ୍ୟା ଓ ରିସଭ୍ ପନ୍ତ ଚତୁର୍ଥ ଓ ପଂଚମ ସ୍ଥାନରେ ଖେଳିବେ । ବର୍ତମାନ ଭାରତୀୟ ଦଳରେ ଭଲ ଫର୍ମରେ ଅଛନ୍ତି ଅଶ୍ୱିନ୍, ୱାଶିଂଟନ ସୁନ୍ଦର ଏବଂ ଅକ୍ଷର ପଟେଲ । ଏପରି ସ୍ଥଳରେ କୁଲଦୀପ ଯାଦବ ଏବଂ ଯୁଯବେନ୍ଦ୍ର ଚହଲଙ୍କ ପାଇଁ ଟି ୨୦ ଦଳରେ ସ୍ଥାନ ପାଇବା କଷ୍ଟକର ବିଷୟ ରହିବ ।

ସେହିପରି ପେସ୍ ବୋଲିଂ ମଙ୍ଗ ଧରିପାରନ୍ତି ଭୁବନେଶ୍ୱର କୁମାର । ମହମ୍ମଦ ସାମି, ଟି ନଟରାଜନଙ୍କ ପରି ବୋଲର ରହିଥିବାରୁ ଭାରତ କେଉଁ ଖେଳାଳିଙ୍କୁ ନେଇ ଇଂଲଣ୍ଡ ବିପକ୍ଷରେ ପଡିଆକୁ ଓହ୍ଲାଇବ ତାହା ଏକ ପ୍ରଶ୍ନବାଚୀ । ତେବେ ଭାରତ ଟେଷ୍ଟ ସିରିଜରେ ଯେପରି ଖେଳିଥିଲା, ସେହିପରି ଭଲ ପ୍ରଦର୍ଶନ ସହିତ ଟି ୨୦ ସିରିଜରେ ପ୍ରବେଶ କରିବ ବୋଲି ରୋହିତ ଶର୍ମା କହିଛନ୍ତି ।

ଟେଷ୍ଟ ସିରିଜରେ ପରାସ୍ତ ହୋଇଥିବା ଶକ୍ତିଶାଳୀ ଇଂଲଣ୍ଡ ଦଳ ଟି ୨୦ ସିରିଜ ଆରମ୍ଭରୁ ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ ।  ଟି ୨୦ ସିରିଜର ପ୍ରଥମ ମ୍ୟାଚ୍ ୧୨ ମାର୍ଚ୍ଚ, ଦ୍ୱିତୀୟ ମ୍ୟାଚ୍ ୧୪ ମାର୍ଚ୍ଚ, ତୃତୀୟ ମ୍ୟାଚ୍ ୧୬ ମାର୍ଚ୍ଚ, ଚତୁର୍ଥ ମ୍ୟାଚ୍ ୧୮ ମାର୍ଚ୍ଚ ଏବଂ ପଂଚମ ତଥା ଶେଷ ଟି ୨୦ ମୁକାବିଲା ମାର୍ଚ୍ଚ ୨୦ ତାରିଖରେ ଖେଳାଯିବ ।