ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରଥମ ଦିନରେ ରୋହିତଙ୍କ ଜଲୱା । ଟିମ୍ ଇଣ୍ଡିଆର ସ୍କୋର ୩୦୦/୬

125

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଦେଖିବାକୁ ମିଳିଛି ହିଟମ୍ୟାନ ରୋହିତ ଶର୍ମାଙ୍କ ଜଲୱା । ପ୍ରଥମ ଦିନରେ ରୋହିତ ଧୁଆଁଧାର ୧୬୧ ରନର ଇଂନିସ ଖେଳିବା ସହିତ ଟିମ୍ ଇଣ୍ଡିଆର ସ୍କୋର ୩୦୦ ଛୁଇଁଛି । ଅନ୍ୟପଟେ ଭାରତ ହାତରେ ଏବେ ବି ଆହୁରି ୪ଟି ୱିକେଟ୍ ବାକି ଥିବାରୁ ଦଳର ସ୍କୋର ଆହୁରି ଆଗକୁ ବଢିବ ବୋଲି କୁହାଯାଉଛି ।

ଶନିବାର ଚେନ୍ନାଇରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ହେଲେ ଗିଲଙ୍କ ୱିକେଟ୍ ପଡିବା ସହିତ ଦଳକୁ ମିଳିଥିଲ ପ୍ରାରମ୍ଭିକ ଝଟକା । ଏହାପରେ ପୂଜାରା ଓ ରୋହିତ ଶର୍ମା ୮୫ ରନର ପାର୍ଟନରସିପ ତିଆରି କରିବା ସହିତ ଭାରତ ଆଗକୁ ବଢିଥିଲା । ହେଲେ ଏହି ସମୟରେ ଦଳକୁ ମିଳିଥିଲା ଡବଲ ଝଟକା । ପୂଜାରାଙ୍କ ପରେ ପରେ ଅଧିନାୟକ କୋହଲି ବିନା କୌଣସି ରନ କରି ଆଉଟ୍ ହୋଇଯାଇଥିଲେ । ହେଲେ ଏହାପରେ ରାହାଣେ ଓ ରୋହିତ ଯୋଡି ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ରୋହିତ ନିଜର ଟେଷ୍ଟ କ୍ୟାରିୟରର ସପ୍ତମ ଶତକ ଅର୍ଜନ କରିବା ସହିତ ୧୬୧ ରନର ଇଂନିସ ଖେଳିଥିଲେ ।

ଇଂଲଣ୍ଡ ଏହି ମ୍ୟାଚରେ ୬ ଜଣ ବୋଲରକୁ ବ୍ୟବହାର କରିଥିବାବେଳେ ଜ୍ୟାକ୍ ଲିଚ୍ ଓ ମୋଇନ ଅଲ୍ଲୀଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଥିଲା । ତା ସହିତ ଷ୍ଟୋନ ଓ ଜୋ ରୁଟଙ୍କ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ଏହି ମ୍ୟାଚ୍ ଜିତି ଭାରତ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଇଂଲଣ୍ଡ ପାଇଁ ମଧ୍ୟ ସିରିଜ୍ କବଜା କରିବାକୁ ଏହା ସୁବଣ୍ଣ ସୁଯୋଗ ବୋଲି କୁହାଯାଉଛି ।