ଭାରତ ବିରୋଧରେ ଚୀନର ବଡ଼ ଚାଲ : ପେଙ୍ଗଙ୍ଗ ହ୍ରଦ ପାଖାପାଖି ତିଆରି କରୁଛି ବୃହତ ପୋଲ; ଉପଗ୍ରହ ଚିତ୍ରରୁ ଆସିଲା ତଥ୍ୟ

169

କନକ ବ୍ୟୁରୋ : ଭାରତ ଏବଂ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ସମାଧାନ ହୋଇପାରି ନାହିଁ । ବିଶେଷ କରି ଲଦାଖ ଅଞ୍ଚଳରେ ସୀମା ସମସ୍ୟାର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ବାରମ୍ବାର ସେନାସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏଭଳି ସ୍ଥିତିରେ ଚୀନ ସୀମାକୁ ଲାଗି ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିବା ସହିତ ଭିତ୍ତିଭୂମି ବିସ୍ତାର କରିବାରେ ଲାଗିଛି । ଏଭଳି ବିଷୟକୁ ନେଇ ସୀମା ପ୍ରସଙ୍ଗରେ ବାସ୍ତବରେ ଯେ ଚୀନ ସମାଧାନ ଚାହୁଁଛି ତାହା ସନ୍ଦେହ ସୃଷ୍ଟି କରିଛି ।

ଉପଗ୍ରହ ଚିତ୍ରରୁ ମିଳିଥିବା ଅନୁଯାୟୀ, ଚୀନ ଲଦାଖର ପେଙ୍ଗଙ୍ଗ ହ୍ରଦ ନିକଟରେ ଏକ ଦ୍ୱିତୀୟ ବୃହତ ପୋଲ ନିର୍ମାଣ କରୁଛି । ଲଦାଖ ଏବଂ ତିବ୍ବତ ମଧ୍ୟରେ ପ୍ରାୟ ୧୩୫ କିମି ଦୀର୍ଘ ଏହି ହ୍ରଦ ରହିଥିବା ବେଳେ ଚୀନ ନିଜ ପଟରେ ଏହି ପୋଲ ନିର୍ମାଣ କରୁଛି । ଏହାଦ୍ୱାରା ଲଦାଖର ଖୁରନାଖ ଦୁର୍ଗ ଏବଂ ତିବ୍ୱତର ରୂପରେଖ ରୁଦୋଖ ମଧ୍ୟ ଦୂରତା ୪୦ରୁ ୫୦ କିମି ହ୍ରାସ ପାଇବ । ପୂର୍ବରୁ ଚୀନ ଏହି ଅଞ୍ଚଳରେ ଚୀନ ଏକ ପୋଲ ନିର୍ମାଣ କରିଥିବା ବେଳେ ଏହାକୁ ନେଇ ଭାରତ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଥିଲା ।

ହେଲେ ବାସ୍ତବରେ ଏହି ଦ୍ୱିତୀୟ ପୋଲ ହିଁ ଭାରତ ପାଇଁ ଅଧିକ ଉଦବେଗଜନକ ବୋଲି କୁହାଯାଉଛି । କାରଣ ଦ୍ୱିତୀୟ ପୋଲର ନିର୍ମାଣ ପାଇଁ ପ୍ରଥମ ପୋଲକୁ ଚାଇନା ସେନା ଉପଯୋଗ କରୁଛି । ପ୍ରଥମ ପୋଲ ତୁଳନାରେ ଦ୍ୱିତୀୟ ପୋଲ ଅଧିକ ମଜବୁତ ହୋଇଥିବାରୁ ଏହା ମାଧ୍ୟମରେ ଚୀନ ଟ୍ୟାଙ୍କ ସମେତ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ପରିବହନ କରିବାକୁ ଲକ୍ଷ୍ୟ ରଖିଛି । ଯାହାକି ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି କୁହାଯାଉଛି ।