ଆଜି ସାରା ଦେଶ ପାଳନ କରୁଛି ୭୩ତମ ସାଧାରଣତନ୍ତ୍ର ଦିବସ : ସବୁଠି ଉତ୍ସବର ମାହୋଲ, ମହାମାରୀ ଯୋଗୁଁ କୋଭିଡ କଟକଣାରେ ପାଳିତ ହେବ ସମାରୋହ

ଏପଟେ ରାଜ୍ୟରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏସଆରସି ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି

262

କନକ ବ୍ୟୁରୋ : ସାରା ଦେଶ ପାଳନ କରୁଛି ୭୩ ତମ ଗଣତନ୍ତ୍ର ଦିବସ । କୋଭିଡ କଟକଣା ଭିତରେ ସାରା ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଛି । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପ୍ରତିବର୍ଷ ଦେଶ ଧୁମଧାମରେ ଜାନୁୟାରୀ ୨୬ ତାରିଖରେ ସାଧାରଣ ତନ୍ତ୍ର ଦିବସ ପାଳନ କରିଥାଏ । ଦେଶର ରାଜଧାନୀ ଦିଲ୍ଲୀର ରାଜପଥରେ ହେଉଥିବା ପରେଡରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । କିନ୍ତୁ କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉତ୍ସବରେ କଟକଣା ଭିତରେ ପାଳିତ ହେବ ।

ପାରମ୍ପରିକ ଭାବେ ପ୍ରତିବର୍ଷ ଗଣତନ୍ତ୍ର ଦିବସ ସମାରୋହ ସକାଳ ୧୦ଟାରୁ ଆରମ୍ଭ ହୋଇଥାଏ, କିନ୍ତୁ ଏଥର ସମାରୋହ ସାଢେ ୧୦ଟାରୁ ଆରମ୍ଭ ହେବ । କରୋମା ମହାମାରୀକୁ ଆଖିରେ ରଖି ପରେଡ ଦେଖିବା ପାଇଁ ସରକାରଙ୍କ ପକ୍ଷରୁ ସୀମିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ଦିଲ୍ଲୀର ରାଜପଥରେ ହେଉଥିବା ପରେଡର ସିଧା ପ୍ରସାରଣ ବିଭିନ୍ନ ଟିଲେଭିଜନ ଚ୍ୟାନେଲରେ ହେବ । ସେହିପରି ରାଜଧାନୀ ଭୁବନେଶ୍ୱରର ପରେଡ ମଧ୍ୟ ବିଭିନ୍ନ ଟେଲିଭିଜନରେ ସିଧା ପ୍ରସାରଣ ହେବ । ଏପଟେ ରାଜ୍ୟରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏସଆରସି ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ନିଜ ବ୍ୟକ୍ତିଗତ ଘରେ ଜାତୀୟ ପତକା ଉତୋଳନ ସମୟରେ ୫ଜଣରୁ ଅଧିକ ଲୋକ ରହିପାରିବେ ନାହିଁ ବୋଲି କୁହାଯାଇଛି । ସେହିପରି ଶିକ୍ଷାନୁଷ୍ଠାନ, କ୍ଲବ ଏବଂ ଅନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ୧୦ଜଣରୁ ଅଧିକ ଲୋକ ଉପସ୍ଥିତ ରହିପାରିବେ ନାହିଁ । ଆବଦ୍ଧ କୋଠରୀରେ ୫୦ପ୍ରତିଶତ କ୍ଷମତାରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ନିର୍ଦ୍ଦେଶ ରହିଛି । ତେବେ ଏହି ସମୟରେ କୋଭିଡ କଟକଣା କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି । ସମସ୍ତଙ୍କୁ ମାସ୍କ ପରିଧାନ କରିବାକୁ କୁହାଯାଇଥିବା ବେଳେ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି ।