ନୂଆଦିଲ୍ଲୀରେ ରୁଷ ବୈଦେଶିକ ମନ୍ତ୍ରୀଙ୍କ ବଡ ବୟାନ । କହିଲେ କ୍ରେମଲିନ ଚାହେଁ ଭାରତ କରୁ ମଧ୍ୟସ୍ଥତା ।

165

କନକ ବ୍ୟୁରୋ: ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭୋରଭ କହିଛନ୍ତି, ୟୁକ୍ରେନ ସହ ବୈଠକ ବେଳେ ଭାରତ କରୁ ମଧ୍ୟସ୍ଥତା । ଏହା କ୍ରେମଲିନର ଇଚ୍ଛା । ଆଜି ନୂଆଦିଲ୍ଲୀରେ ଭାରତ ଏବଂ ରୁଷ ବୈଦେଶିକ ମନ୍ତ୍ରୀ ବୈଠକ ପରେ ସେ ଏପରି କହିଛନ୍ତି । ଭାରତର ଆବଶ୍ୟକତାକୁ ପୂରଣ କରିବାକୁ ରୁଷ ପ୍ରସ୍ତୁତ ବୋଲି ମଧ୍ୟ ସେ କହିଛନ୍ତି । ତେବେ ପୁଟିନଙ୍କ ଏହି ବିଶ୍ୱସ୍ତ ନେତାଙ୍କ ଏପରି ବୟାନ ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତ-ରୁଷ ବୈଠକ ପୂର୍ବରୁ ଆମେରିକା ଅସନ୍ତୋଷ ପ୍ରକାଶ କରିଥିଲା । ଆଉ ଏପରି ସ୍ଥିତିରେ ରୁଷ ମଧ୍ୟ ଭାରତର ନୀତିକୁ ସମର୍ଥନ କରି ୟୁରୋପ ଏବଂ ଆମେରିକାକୁ କଡା ଜବାବ ଦେଇଥିବା କୁହାଯାଉଛି ।

ନୂଆଦିଲ୍ଲୀରେ ବୈଠକ କରିଛନ୍ତି ଭାରତ ଏବଂ ରୁଷର ବୈଦେଶିକ ମନ୍ତ୍ରୀ । ଆଉ ଏହି ବୈଠକ ମଧ୍ୟ ବେଶ ଗୁରୁତ୍ୱ । ରୁଷର ବୈଦେଶିକ ମନ୍ତ୍ରୀ ସେରଗେ ଲାଭୋରୋଭ କହିଛନ୍ତି, ଯୁଦ୍ଧ ବେଳେ ଭାରତର ଆଭିମୁଖ୍ୟ ଏକପାଖିଆ ନୁହେଁ । ସେହିପରି ଦୁଇ ଦେଶ ମଧ୍ୟରେ ତେଲ କାରବାର ବଢିବାକୁ ଯାଉଥିବା ବେଳେ ଆଗାମୀ ଦିନରେ ରୁବଲ ଏବଂ ଟଙ୍କା କାରବାର ଆହୁରି ବଢିବ ବୋଲି ସେ କହିଛନ୍ତି । ଏପରି କହିବା ସହିତ ଭାରତର ବୈଦେଶିକ ନୀତି ଏବଂ କୂଟନୀତିକୁ ପ୍ରଶଂସା କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏହି ବିଶ୍ୱସ୍ତ ନେତା । ଅନ୍ତର୍ଜାତୀୟ ବଜାର ଏବଂ ରାଜନୀତି ଚାପରେ ଥିବା ବେଳେ ରୁଷର ବୈଦେଶିକ ମନ୍ତ୍ରୀଙ୍କ ବୟାନ ବେଶ ଚର୍ଚ୍ଚା ପାଲଟିଛି ।

ହାଇଦ୍ରାବାଦ ହାଉସରେ ଦୁଇ ଦେଶର ନେତା ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, କରୋନା ମହାମାରୀ ହେଉ ଅବା ଅନ୍ତର୍ଜାତୀୟ ପ୍ରସଙ୍ଗ ଭାରତ ସବୁବେଳେ କୂଟନୀତି ଜରିଆରେ ବିବାଦର ସମାଧାନ ଚାହେଁ । ଭାରତ ଏବଂ ରୁଷର ବୈଠକ ପୂର୍ବରୁ ଆମେରିକା ଏବଂ ଅନ୍ୟାନ୍ୟ ଦେଶ ଅସନ୍ତୋଷ ପ୍ରକାଶ କରିଛନ୍ତି । ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ସାରା ବିଶ୍ୱ ନିନ୍ଦା କରୁଥିବା ବେଳେ ଭାରତ ରୁଷ ସହିତ ସଂପର୍କ ବଢାଇବାକୁ ଗ୍ରହଣ କରିପାରୁ ନାହାନ୍ତି ଆମେରିକା ସମେତ ଅନେକ ଦେଶ ।