କନକ ବ୍ୟୁରୋ: ମୋଦୀଙ୍କୁ ହରାଇବା ପାଇଁ ମୁମ୍ବାଇରେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିଛନ୍ତି ବିରୋଧୀ ‘ଇଣ୍ଡିଆ’ ମେଣ୍ଟ । ଏହି ବୈଠକ ପରେ ୧୪ଜଣିଆ ନେତାଙ୍କୁ ନେଇ ସମନ୍ୱୟ କମିଟି ଗଠିତ ହୋଇଥିବା ଘୋଷଣା କରିଛନ୍ତି । ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତ ହୋଇଛି ନୀଳ ନକ୍ସା । ଆଗାମୀ ନିର୍ବାଚନରେ ଯଥା ସମ୍ଭବ ଏକାଠି ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ ‘ଇଣ୍ଡିଆ’ ମେଣ୍ଟ । ବଡ଼ କଥା ହେଉଛି ସେପ୍ଟେମ୍ବର ତୃତୀୟ ସପ୍ତାହରେ ସବୁ ଦଳ ମିଳିତ ଭାବେ ବିଶାଳ ରାଲି କରି ଶକ୍ତି ପ୍ରଦର୍ଶନ କରିବାକୁ ନିଷ୍ପତି ନେଇଛନ୍ତି ।

Advertisment
  • ମୋଦୀଙ୍କ ବିରୋଧରେ ରଣହୁଙ୍କାର
  • ‘ଇଣ୍ଡିଆ’ ମେଣ୍ଟର ସ୍ଳୋଗାନ
  • ଯୋଡ଼ି ହେବ ଭାରତ, ଜିତିବ ‘ଇଣ୍ଡିଆ’

୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ‘ଇଣ୍ଡିଆ’ ମେଣ୍ଟର ବଡ଼ ପ୍ରସ୍ତୁତି । ମୁମ୍ବାଇରେ ବସିଥିବା ଦୁଇ ଦିନିଆ ବୈଠକରେ ରଣନୀତି ପ୍ରସ୍ତୁତ କରିଛି ବିରୋଧୀ ମେଣ୍ଟ ।

  • ୧୪ ଜଣିଆ ସମନ୍ୱୟ କମିଟି ଗଠନ
  • ସାମିଲ ହେଲେ ୧୪ଟି ଦଳର ପ୍ରତିନିଧି
  • ପରସ୍ପର ମଧ୍ୟରେ ତାଳମେଳ ରଖିବ ସମନ୍ୱୟ କମିଟି
  • ଗଠନ ହେଲା ୪ଟି ସବକମିଟି

କିଏ ହେବ ‘ଇଣ୍ଡିଆ’ ମେଣ୍ଟର ଆବାହକ?

ଦୌଡ଼ରେ ମଲ୍ଲିକାର୍ଜୁନ ଖଡଗେ, ଶରଦ ପାୱାର, ନୀତିଶ କୁମାର

ସବୁଠୁ ଗୁରୁତ୍ୱ କଥା ହେଉଛି, ମେଣ୍ଟର ଆବାହକ କିଏ ହେବ, ଏ ନେଇ ବୈଠକରେ ନିଷ୍ପତି ହୋଇପାରିନାହିଁ । ଏପଟେ ମୋଦୀଙ୍କ ବିରୋଧରେ କାହାକୁ ଚେହେରା କରାଯିବ, ସେ ନେଇ ମଧ୍ୟ ମତଭେଦ ରହିଛି । ତେବେ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ବିରୋଧରେ ବର୍ଷିଛନ୍ତି ଇଣ୍ଡିଆ ମେଣ୍ଟର ନେତା । କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ କହିଛନ୍ତି, ବିଜେପିକୁ ହରାଇବା ପାଇଁ ‘ଇଣ୍ଡିଆ’ ମେଣ୍ଟ ଏକାଠି କାମ କରିବ ଏବଂ କେନ୍ଦ୍ର ସରକାରଙ୍କ ଦୁର୍ନୀତି ଲୋକଲୋଚନକୁ ଅଣାଯିବ । ସେହିପରି ‘ଭାଜପା ହଟାଅ, ଦେଶ ବଞ୍ଚାଅ’ ନାରା ଦେଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ । ସେ କହିଛନ୍ତି, ଆସନ ବୁଝାମଣା ନେଇ କିଛି ସମସ୍ୟା ହେବ ନାହିଁ ।

ଦଳୀୟ ମତଭେଦକୁ ଭୁଲି ଏହି ବୈଠକରେ ସାମିଲ ହୋଇଛନ୍ତି ବିରୋଧୀ ମେଣ୍ଟର ତୁଙ୍ଗ ନେତା । କେନ୍ଦ୍ର ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ସହ ଭାରତକୁ ଭାଗ ଭାଗ କରିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରାଯାଇଛି । ତେବେ ଇଣ୍ଡିଆ ମେଣ୍ଟକୁ କଟାକ୍ଷ କରିଛନ୍ତି ବିଜେପି ନେତା । କହିଛନ୍ତି, ପରସ୍ପର ବିରୋଧୀ ନେତା କ୍ଷମତା ପାଇଁ ଫାଇଭ୍ ଷ୍ଟାର ହୋଟେଲରେ ଏକାଠି ହୋଇଛନ୍ତି । ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ।