୨୬/୧୧କୁ ୧୦ ବର୍ଷ ! ଏବେ ବି ହୋଇପାରେ କି ମୁମ୍ବାଇ ଉପରେ ଆକ୍ରମଣ ? ପଢ଼ନ୍ତୁ କ’ଣ କହିଲେ ନୌସେନା ମୁଖ୍ୟ ।

ଆସନ୍ତାକାଲି ୨୬/୧୧ ଆକ୍ରମଣକୁ ପୂରିବ ୧୦ ବର୍ଷ । ସେଦିନ ମାୟାନଗରୀରେ ହୋଇଥିବା ମୃତ୍ୟୁର ତାଣ୍ଡବଲୀଳା ମନେପଡ଼ିଲେ ଏବେ ବି ଟାଙ୍କୁରି ଉଠୁଛି ଲୋମ ।

282

କନକ ବ୍ୟୁରୋ: ଆସନ୍ତାକାଲି ମୁମ୍ବାଇ ଆତଙ୍କବାଦୀ ହମଲାକୁ ପୂରିବ ୧୦ ବର୍ଷ । ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିବା ସେ ଦିନର ଘଟଣା ମନେ ପଡ଼ିଲେ ଅଙ୍ଗେ ନିଭେଇଥିବା ଲୋକଙ୍କ ଲୋମ ଏବେ ବି ଟାଙ୍କୁରି ଉଠେ । ତେବେ ମାୟାନଗରୀରେ ମୃତ୍ୟୁର ତାଣ୍ଡବଲୀଳା ସାରା ମୁମ୍ବାଇବାସୀଙ୍କ ପାଇଁ ଯେମିତି ପାଲଟି ଯାଇଥିଲା କାଳର ରାତି । ସହରର ପ୍ରମୂଖ ଜନଗହଳିପୂର୍ଣ୍ଣ ସ୍ଥାନରେ ଆତଙ୍କୀମାନେ ଅତର୍କିତଭାବେ କରିଥିଲେ ଗୁଳିଚାଳନା । ଏପରକି ତାଙ୍କ କୋପରୁ ବର୍ତ୍ତି ପାରି ନଥିଲା କୋମଳମତି ଶିଶୁ ଓ ଅସହାୟ ବୃଦ୍ଧ,ବୃଦ୍ଧାଙ୍କ ଜୀବନ ।

୨୦୦୮ ନଭେମ୍ବର ୨୬ ରାତି ପ୍ରାୟ ୧୦ଟାରେ ଲଶ୍କର-ଏ-ତୋଏବାର ୧୦ ଜଣ ଆତଙ୍କବାଦୀ ସମୁଦ୍ର ପଥରେ ମୁମ୍ବାଇରେ ପ୍ରବେଶ କରିଥିଲେ। ଏହି ଆତଙ୍କବାଦୀମାନେ ସେମାନଙ୍କ ତାଣ୍ଡବ ମୁମ୍ବାଇର ରେଳ ଷ୍ଟେସନ୍ ଛତ୍ରପତି ଶିବାଜୀ ଟର୍ମିନାଲରୁ ଆରମ୍ଭ କରିଥିଲେ। ସେଠାରେ ସେମାନେ ଆଖିବୁଜା ଗୁଳି ମାଡ଼ କରିବା ସହ ଗ୍ରେନେଡ଼ ଫୋପାଡ଼ି ଥିଲେ। ଏଥିରେ ୫୮ ଜଣ ଲୋକ ପ୍ରାଣ ହରାଇଥିଲେ। ପରେ ପରେ ଏହି ଆତଙ୍କବାଦୀ ମାୟାନଗରୀରେ କାୟା ବିସ୍ତାର କରିଚାଲିଥିଲା । ଆଉ ଏହି ଆତଙ୍କବାଦୀ ହମଲାରେ ୧୬୬ ଜଣଙ୍କ ଜୀବନ ଯିବା ସହ ୩୦୦ରୁ ଅଧିକ ଆହତ ହୋଇଥିଲେ। ଦୀର୍ଘ ୪ ଦିନ ଧରି ମୁମ୍ବାଇର ପ୍ରମୁଖ ରେଳ ଷ୍ଟେସନ ସିଏମଟି , ତାଜ ଓ ଟ୍ରାଇଡେଣ୍ଟ ଆଦି ହୋଟେଲ ଏବଂ ଡାକ୍ତରଖାନା ସମେତ ରାସ୍ତାରେ ଯାଉଥିବା ଯାନବାହାନ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ପୁଲିସ୍ ସହ ମୁହାଁମୁହିଁ ହୋଇ ମୋଟ ୧୦ ଜଣରୁ ୯ଜଣ ଆତଙ୍କବାଦୀ ନିହତ ହେଲେ। ଜୀବନ୍ତ ଧରାପଡ଼ିଥିବା ମୁଖ୍ୟ ଆସାମୀ ଅଜମଲ କସାବକୁ ୨୦୧୨ ନଭେମ୍ବର ୨୧ରେ ଫାଶୀ ଦିଆଗଲା।

ସେହିପରି ଅଗାମୀ ଦିନରେ ଆକାଶ ମାର୍ଗରୁ ହିଁ ୨୬/୧୧ର ପୁନରାବୃତ୍ତି ଆଶଙ୍କା ଥିବା ୫ବର୍ଷ ତଳେ ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଥିଲା । ମୁମ୍ବାଇର ସୁରକ୍ଷା କେବଳ ପୁଲିସ ନେଇ ପାରିବନି ବୋଲି ଏନଏସଜି କମାଣ୍ଡୋଙ୍କୁ ଅତିରିକ୍ତ ସୁରକ୍ଷା ଦାୟିତ୍ୱ ଦେବାକୁ ଘଟଣାର ତଦନ୍ତ କମିଟି ସୁପାରିସ କଲେ। ବର୍ତ୍ତମାନ ସମଗ୍ର ସହରକୁ ସିସିଟିଭି କ୍ୟାମେରାରେ ଆଚ୍ଛାଦିତ କରି ରଖାଯାଇଛି । ଅପରପକ୍ଷେ, ତଟୀୟ ସୁରକ୍ଷା ପାଇଁ ଗୁରୁତ୍ୱ ଦିଆଯାଉଥିବା ନୌସେନା ମୁଖ୍ୟ ସୁନିଲ ଲାନବା କହିଛନ୍ତି । ଏପରିକି ଅନେକ ଦୁର୍ବଳ ସ୍ଥାନ ବା ଆତଙ୍କୀ ହମଲା ଆଶଙ୍କା ଥିବା ସ୍ଥାନକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । ଯେଉଁଥିପାଇଁ ୧୫ଶହ ଅବତରଣ ସ୍ଥାନରେ ମାଛମରା ବୋଟ୍ ପ୍ରତିଦିନ ମନିଟରିଂ କରୁଛନ୍ତି । କୌଣସି ଆତଙ୍କବାଦୀ ଗତିବିଧି ଉପରେ ନଜର ରଖିବା ପାଇଁ ଏଆଇଏସ ଭଳି ଟେକ୍ନୋଲୋଜୀକୁ ବ୍ୟବହାର କରାଯାଉଛି । କିନ୍ତୁ ଏବେ ସୁଦ୍ଧା ମୁମ୍ବାଇବାସୀ ଆତଙ୍କିତ ଭାବେ ଜୀବନ ଯାପନ କରୁଛନ୍ତି।