ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କଲା ବିରାଟ ବାହିନୀ । ଅପରାଜିତ ଶତକ ସହ ଦଳ ପାଇଁ ସଙ୍କଟମୋଚକ ସାଜିଲେ ହିଟମ୍ୟାନ୍ ରୋହିତ ଶର୍ମା । 

522

କନକ ବ୍ୟୁରୋ : ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କଲା ବିରାଟ ବାହିନୀ । ସାଉଥହମ୍ପଟନରେ ବିଜୟର ଶୁଭାରମ୍ଭ କଲା ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ୱକପର ପ୍ରଥମ ମ୍ୟାଚରେ ବଡ ବିଜୟ ହାସଲ କରିଛି ମେନ୍ ଇନ୍ ବ୍ଲୁ । ରୋହିତଙ୍କ ଅପରାଜିତ ଶତକ ବଳରେ ବିଶ୍ୱକପର ପ୍ରଥମ ମ୍ୟାଚକୁ ୬ ୱିକେଟରେ ବାଜି ମାରିଛି ଟିମ୍ ଇଣ୍ଡିଆ ।

୨୨୮ ରନର ପିଛା କରୁଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ ରୋହିତ । ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଧୈର୍ଯ୍ୟର ସହ ମୁକାବିଲା କରି ଦିନିକିଆରେ ନିଜର ୨୩ ତମ ଶତକ ହାସଲ କରିଥିଲେ ରୋହିତ । ଆଉ ଏହାସହ ଭାରତକୁ ଦେଇଥିଲେ ବିଶ୍ୱକପର ପ୍ରଥମ ବିଜୟ ଭେଟି ।

ଏହାପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ଦକ୍ଷିଣ ଆଫ୍ରିକା । ତେବେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ସମ୍ପୂର୍ଣ୍ଣ ମୁଣ୍ଡ ନୁଆଁଇଥିଲା ଦକ୍ଷିଣ ଆଫ୍ରିକା । ଖାସକରି ଚହଲଙ୍କ ଚମକରେ ଚକମା ଖାଇଥିଲା ଦକ୍ଷିଣ ଆଫ୍ରିକା । ମୋଟ ୪ ୱିକେଟ ସହ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗିଥିଲେ ଚହଲ । ସେହିଭଳି ବୁମରା ଓ ଭୁବନେଶ୍ୱର ୨ଟି ଲେଖାଏଁ ୱିକେଟ ନେଇ ଦକ୍ଷିଣ ଆଫ୍ରିକାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ତେବେ ଶେଷ ଆଡକୁ ରବଡା ଓ ମୋରିସଙ୍କ ଲଢୁଆ ଇନିଂସ ଯୋଗୁଁ ଦକ୍ଷିଣ ଆଫ୍ରିକା ସମ୍ମାନଜନକ ୨୨୭ ରନ କରିବାକୁ ସକ୍ଷମ ହୋଇଥିଲା ।