ଆଫଗାନ ହିଂସା : ମହାନତା ଦେଖାଇଲା ଭାରତ, ସମସ୍ତ ଆଫଗାନବାସୀଙ୍କୁ ଭିସା ଦେବାକୁ ପ୍ରତିଶୃତି

373

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିନେବା ପରେ ସେଠାରେ ଭୟଙ୍କର ଭାବେ ମାନବୀୟ ସଂକଟ ଦେଖାଦେଇଛି । ତାଲିବାନୀ ଆତଙ୍କବାଦୀଙ୍କ ଭୟରେ ଏବେ ସେଠାକାର ଲୋକେ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି । ଏହି କ୍ରମରେ ହଜାର ହଜାର ଆଫଗାନବାସୀ ବିଶ୍ୱର ବିଭିନ୍ନ ଦେଶରେ ଶରଣ ପାଇଁ ଉଦ୍ୟମ କରୁଛନ୍ତି । ଆଫଗାନବାସୀଙ୍କ ଏଭଳି ସଂକଟ ସମୟରେ ଭାରତ ସହାୟତାର ହାତ ବଢାଇବା ସହ ମାନବିକତାର ପରିଚୟ ଦେଇଛି ।

ଭାରତ ସରକାରଙ୍କ ପକ୍ଷରୁ ଆଫଗାନ ଶରଣାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଇ- ଭିସାର ବ୍ୟବସ୍ଥା କରାଯାଇଛି । ଆଉ ଏହି ଭିସାର ନାମ ‘ଇ-ଏମର୍ଜେନ୍ସି ଏକ୍ସ-ମିସ ଭିସା’ ରଖାଯାଇଛି । ଏହି ଭିସା ସହାୟତାରେ ଧର୍ମସଂପ୍ରଦାୟ ନିର୍ବିଶେଷରେ ସବୁ ଆଫଗାନବାସୀ ଭିସା ପାଇଁ ଆବେଦନ କରିପାରିବେ ବୋଲି କୁହାଯାଇଛି । କହିରଖୁ କି, ଏହା ପୂର୍ବରୁ ଆଫଗାନବାସୀଙ୍କ ପାଇଁ କୌଣସି ଇ-ଭିସାର ବ୍ୟବସ୍ଥା ନଥିଲା । ହେଲେ ଏବେ ଆଫଗାନରେ ଦେଖାଦେଇଥିବା ମାନବୀୟ ସଂକଟକୁ ଦୃଷ୍ଟିରେ ରଖି ଭାରତ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି ।

ଏହି ଇ-ଭିସା ବ୍ୟବସ୍ଥା ଅନୁସାରେ ଭିସା ପାଇଁ ଆବେଦନ କରୁଥିବା ଆଫଗାନବାସୀଙ୍କ ଆବେଦନଗୁଡିକର ବିଚାର ନୂଆ ଦିଲ୍ଲୀରେ କରାଯିବ । ଆବେଦନକାରୀଙ୍କ ପୃଷ୍ଟଭୂମି ଓ ଆବଶ୍ୟକ ସୁରକ୍ଷା ଯାଞ୍ଚ ପରେ ଆବେଦନକୁ ମଞ୍ଜୁର କରାଯିବ । କହିରଖୁ କି ଇ-ଭିସା ଆଇନ ମୁତାବକ ପ୍ରଥମ ୬ ମାସ ପାଇଁ ଭିସା ଦିଆଯିବ ।

ସୂଚନା ଥାଉକି ତାଲିବାନୀମାନେ ଆଫଗାନିସ୍ତାନ ଦଖଲ କରିବା ପୂର୍ବରୁ ସେଠାରେ ଦମନଲୀଳା ଚଳାଇଛନ୍ତି । ସେନାଙ୍କୁ ହତ୍ୟା କରାଯାଉଛି , ସାଧାରଣ ଲୋକଙ୍କୁ ଘର ଛାଡିବାକୁ ବାଧ୍ୟ କରାଯାଉଛି । ମହିଳା ଓ ଶିଶୁ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଛି । ଏଥିରେ ଭୟଭିତ ହୋଇ ଆଫଗାନର ଲୋକମାନେ ଦେଶଛାଡି ଅନ୍ୟ ଦେଶର ଶରଣ ନେବାକୁ ଦେଶର ବିଭିନ୍ନ ସୀମାରେ ଭିଡ ଜମାଇଛନ୍ତି ।