ସାମ୍ବାଦିକଙ୍କ ହତ୍ୟାକାରୀଙ୍କୁ ଦଣ୍ଡଦେବାରେ ସାରା ବିଶ୍ୱରେ ଭାରତର ସ୍ଥାନ ୧୪

ସାରା ଦେଶରେ ବର୍ତମାନ ସମୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି

168

କନକ ବ୍ୟୁରୋ : ସାରା ଦେଶରେ ବର୍ତମାନ ସମୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି । ତେବେ ଅପରାଧିକୁ ଦଣ୍ଡ ଦେବା ପାଇଁ କେଉଁ ଦେଶ କେତେ ଆଗରେ ରହିଛି ତାହାର ଏକ ତଥ୍ୟ ପ୍ରକାଶ ପାଇଛି । ତେବେ ମିଳିଥିବା ସୂଚନା ଅନୁସାରେ ସାମ୍ବାଦିକଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବାରେ ଭାରତର ସ୍ଥାନ ୧୪ତମ ବୋଲି ଆମେରିକାର ଏକ ଘରୋଇ ସର୍ଭେ ସଂସ୍ଥା ‘କମିଟ ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ’ କହିଛି । କେବଳ ଏତିକି ନୁହେଁ ବରଂ ଏହି ରିପୋର୍ଟରେ କୁହାଯାଇଛି ଯେ, ଯେଉଁ ଦେଶରେ ସାମ୍ବାଦିକମାନଙ୍କୁ ହତ୍ୟା କରାଯାଉଛି କେବଳ ସେହି ଦେଶକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଭାରତରେ ସମ୍ବାଦିକଙ୍କ ହତ୍ୟା ବିଗତ ପ୍ରାୟ ୨ ବର୍ଷ ମଧ୍ୟରେ ବଢିବାରେ ଲାଗିଛି । କେଉଁ ସମୟରେ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ କୌଣସି ବ୍ୟକ୍ତିଙ୍କର ଆକ୍ରୋଶର ଶିକାର ହେଉଛନ୍ତି ତ କେତେ ବେଳେ ରାଜନୈତିକ ଦଳର ନେତାମାନଙ୍କର ଶିକାର ହେଉଛନ୍ତି ।

 

ଏପରିକି ନକ୍ସଲମାନେ ମଧ୍ୟ ଏବେ ସମ୍ବାଦିକଙ୍କୁ ଆକ୍ରମଣ କରିବାରେ ପଛାଉନାହାନ୍ତି । ଏହାସହ ସେହି ରିପୋର୍ଟରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଭାରତ ସାମ୍ବାଦିକଙ୍କୁ ହତ୍ୟା କରିଥିବା ଦୋଷୀଙ୍କୁ ଦଣ୍ଡ ଦେବାରେ ବହୁ ପଛରେ ରହିଛି । କେବଳ ଭାରତ ନୁହେଁ ବରଂ ବିଶ୍ୱର ଅନେକ ଦେଶରେ ସାମ୍ବାଦିକଙ୍କ ଉପରେ ଦିନକୁ ଦିନ ଆକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ୨୦୧୮ରେ ଭାରତ ସମେତ ମ୍ୟାକ୍ସିକୋ, ସୋମାଲିଆ, ସିରିଆ, କଲୋମ୍ବିଆ, ପାକିସ୍ତାନ, ଫିଲିଫାଇନ୍ସ, ଇରାକ, ଆଫଗାନିସ୍ତାନ, ବ୍ରାଜିଲ, ଋଷିଆ, ବାଂଲାଦେଶ ଓ ନାଇଜେରିଆ ଆଦି ଦେଶର ନାମ ମଧ୍ୟ ରହିଥିବା ଜଣାପଡିଛି ।