କରୋନା କାଳରେ ବଢିଛି କୋଟିପତିଙ୍କ ସଂଖ୍ୟା, ୨ ଗୁଣ ବଢିଛି ଗରିବଙ୍କ ସଂଖ୍ୟା ।

85

କନକ ବ୍ୟୁରୋ : ଗତବର୍ଷ ଭାରତର କୋଟିପତି ତାଲିକାରେ ଆଉ ୪୦ଜଣ ସାମିଲ ହୋଇଥିବା ବେଳେ ଗରିବଙ୍କ ସଂଖ୍ୟା କିନ୍ତୁ, ୨ଗୁଣ ହୋଇଯାଇଥିବା କଥା ‘ଗ୍ଲୋବାଲ୍‌ ଅକ୍ସଫାମ୍‌ ଡାଭୋସ୍‌ ରିପୋର୍ଟ ୨୦୨୨‘ରେ ଉଲ୍ଲେଖ କରାଯାଇଛି।

ରିପୋର୍ଟରେ କୁହାଯାଇଛି, ଦେଶକୁ ଛାରଖାର କରି ପକାଇଥିବା ଏବଂ ଦାରିଦ୍ର୍ୟକୁ ଉତ୍କଟ କରିଥିବା କୋଭିଡ୍‌-୧୯ ସଂକଟ ବେଳେ ଭାରତର ଧନଶାଳୀମାନେ ସେମାନଙ୍କ ଧନସମ୍ପତ୍ତି ୨ଗୁଣରୁ ଅଧିକ କରିଛନ୍ତି। ତେଣୁ, ଧନସମ୍ପତ୍ତିର ପୁନର୍ବଣ୍ଟନ ପାଇଁ ସରକାର ତାଙ୍କର ନୀତିଗୁଡ଼ିକ ସଂଶୋଧନ କରିବା ଉଚିତ। ଦେଶରେ ୧୪୨ଜଣ ବିଲିୟନେୟାର୍‌ (‌କୋଟିପତି) ଥିବାବେିଳେ ଗତବର୍ଷ ଆଉ ୪୦ଜଣ ବିଲିୟନେୟାର୍‌ ବୃଦ୍ଧି ପାଇଛନ୍ତି। ଏହି ୪୦ଜଣଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୭୨୦ ବିଲିୟନ୍‌ ଡଲାର୍‌ ହେବ। ଯାହାକି, ଦେଶର ଦରିଦ୍ରତମ ଜନତାଙ୍କ ଠାରୁ ୪୦%ରୁ ଅଧିକ।

ସେୟାର୍‌ ଠାରୁ ଆରମ୍ଭ କରି ‘କ୍ରିପ୍ଟୋ’ ପର୍ଯ୍ୟନ୍ତ ସବୁ ଜିନିଷର ମୂଲ୍ୟ ବୃଦ୍ଧି ଘଟିବାରୁ ମହାମାରୀ ସମୟରେ ବିଶ୍ବବ୍ୟାପୀ ସମ୍ପଦ ଦ୍ରୁତ ବେଗରେ ବୃଦ୍ଧି ପାଇଛି। ବିଗତବର୍ଷର ସମ୍ପତ୍ତିରେ ଗତବର୍ଷ ବିଶ୍ବର ୫୦୦ ସବୁଠୁ ବିତ୍ତଶାଳୀ ବ୍ୟକ୍ତି ୧ ଟ୍ରିଲିୟନ୍‌ ଡଲାର୍‌ରୁ ଅଧିକ ‌ସାମିଲ କରିଛନ୍ତି ବୋଲି ‘ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ୍‌’ କହିଛି। ଦେଶରେ ଗତ ମେ ମାସରେ ନଗରାଞ୍ଚଳ ବେକାରୀ ୧୫% ବୃଦ୍ଧି ଓ ଖାଦ୍ୟ ଅନିଶ୍ଚିତତା ଉତ୍କଟ ହୋଇଥିଲା। ଏହା ସତ୍ତ୍ବେ ଫ୍ରାନ୍ସ୍‌, ସ୍ବିଡେନ୍‌ ଏବଂ ସ୍ବିଡେନ୍‌ର କୋଟିପତିମାନଙ୍କୁ ଏକତ୍ର କଲେ ଯେତେ ହେବେ ଭାରତରେ ଏବେ ତା’ଠାରୁ ଅଧିକ କୋଟିପତି ବା ମିଲିୟନେୟାର୍ସ ଅଛନ୍ତି ବୋଲି ‘ଅକ୍ସଫାମ୍’ କହିଛି।