ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି : ଗିଲଙ୍କ ଶତକ ବଳରେ ଲଢିଲା ଟିମ୍ ଇଣ୍ଡିଆ; ଚତୁର୍ଥ ଦିନରେ ଦଳର ପ୍ରଦର୍ଶନ ଉପରେ ନଜର

37

କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି । ଗିଲଙ୍କ ଶତକ ବଳରେ ଲଢିଲା ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆର ପ୍ରଥମ ପାଳି ୪୮୦ ରନ୍ ଜବାବରେ ତୃତୀୟ ଦିନ ସୁଦ୍ଧା ରୋହିତ ଶର୍ମାଙ୍କ ଦଳ ୩ ୱିକେଟ୍ ବିନିମୟରେ ୨୮୯ ରନ୍‌ ସଂଗ୍ରହ କରିଛି । ତଥାପି ଭାରତ ଏବେ ୧୯୧ ରନ୍‌ ପଛରେ ଥିବାରୁ ବିପଦମୁକ୍ତ ହୋଇନାହିଁ ।

ଆଇସିସି‌ ବିଶ୍ବ ଟେ‌ଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍ ପ୍ରବେଶ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିବା ପାଇଁ ଭାରତକୁ ଏହି ଟେଷ୍ଟ୍ ଜିତିବା ଜରୁରୀ ରହିଛି । ନ ହେଲେ ବି ଭାରତ ମ୍ୟାଚ୍‌ ଡ୍ର’ ରଖିବା ସହ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ୍‌ ଟେଷ୍ଟ୍ ଶୃଙ୍ଖଳା ଫଳାଫଳକୁ ଅପେକ୍ଷା କରିବ । ଭାରତ ହାରିଗଲେ ବି ଶ୍ରୀଲଙ୍କା ଉଭୟ ଟେଷ୍ଟରେ ହାରିଲେ ହିଁ ଭାରତ ପାଇଁ ସୁଯୋଗ ରହିବ । ଚତୁର୍ଥ ଦିନରେ ଦଳର ପ୍ରଦର୍ଶନ ଉପରେ ନଜର ରହିଛି ।

ସେପଟେ, ନିଜ ନିଜ ପାଳି ଅବସରରେ ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ଦୁଇଟି ବ୍ୟକ୍ତିଗତ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ରୋହିତ ଷଷ୍ଠ ଭାରତୀୟ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୭,୦୦୦ ରନ୍‌ ପୂର୍ଣ୍ଣ କରିଥିଲେ। ୩୫ ରନ୍‌ କରିଥିବା ରୋହିତ ବ୍ୟକ୍ତିଗତ ଭାବେ ୨୧ ରନ୍‌ ବେଳେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଥିଲେ । ରୋହିତଙ୍କ ପୂର୍ବରୁ ଏହି କ୍ଲବ୍‌ରେ କେବଳ ସଚିନ ତେନ୍ଦୁଲକର, ବିରାଟ କୋହଲି, ରାହୁଲ ଦ୍ରାବିଡ଼, ସୌରଭ ଗାଙ୍ଗୁଲି, ମହେନ୍ଦ୍ର ସିଂହ ଧୋନି ସାମିଲ ଅଛନ୍ତି ।

୨୦୦୭ରେ ଆୟରଲାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍‌ ଖେଳି ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିଥିବା ରୋହିତ ଏପର୍ଯ୍ୟନ୍ତ ୨୪୧ ଦିନିକିଆରୁ ୯୭୮୨ ରନ୍‌ ଏବଂ ୧୪୮ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରୁ ୩୮୫୩ ରନ୍‌ ସଂଗ୍ରହ କରିଛନ୍ତି । ୪୯ତମ ଟେଷ୍ଟ୍ ଖେଳୁଥିବା ରୋହିତ ପ୍ରଥମ ପାଳି ସୁଦ୍ଧା ମୋଟ ୩୩୭୯ ରନ୍‌ ସଂଗ୍ରହ କରିଛନ୍ତି। ଦିନିକିଆ କ୍ରିକେଟ୍‌ରେ ଏକମାତ୍ର ଖେଳାଳି ଭାବେ ରୋହିତ ୩ଟି ଦ୍ବିଶତକ ହାସଲ କରିବାର ରେକର୍ଡ ମଧ୍ୟ ନିଜ ନାମରେ ରଖିଛନ୍ତି ।