ଜିଏସଟି ଦାତାଙ୍କୁ କେନ୍ଦ୍ର ସରକାରଙ୍କ ଆଶ୍ୱସ୍ଥି । କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ସୂଚନା, ମାର୍ଚ୍ଚ ୩୧ ତାରିଖ ଯାଏ ରିଟର୍ନ ଫାଇଲ ଅବଧି ବୃଦ୍ଧି

175

କନକ ବ୍ୟୁରୋ : ଟିକସଦାତାଙ୍କ ସୁବିଧାକୁ ନଜରରେ ରଖି ସାମଗ୍ରୀ ଓ ସେବା ଟିକସ (ଜିଏସଟି) ର ବାର୍ଷିକ ରିଟର୍ନ ଫାଇଲ ଅବଧିକୁ କେନ୍ଦ୍ର ସରକାର ମାର୍ଚ୍ଚ ୩୧ ତାରିଖ ଯାଏ ବୃଦ୍ଧି କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଏସଟି ରିଟର୍ନ ଫାଇଲ ଅବଧିକୁ ମାର୍ଚ୍ଚ ୩୧ ତାରିଖ ଯାଏ ବୃଦ୍ଧି କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରଣାୟ ପକ୍ଷରୁ ସୂଚନା ଦିଆଯାଇଛି ।

କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମାଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ରବିବାର ଏ ସଂପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହାପୂର୍ବରୁ ୨୦୧୯-୨୦ ଆର୍ଥିକ ବର୍ଷର ବାର୍ଷିକ ଜିଏସଟି ରିଟର୍ନ ଫାଇଲ ଦାଖଲ କରିବାର ଶେଷ ତାରିଖ ଫେବୃଆରୀ ୨୮ କୁ ରଖାଯାଇଥିଲା । କହିରଖୁ କି ଏହାକୁ ମିଶାଇ ଦୁଇଥର ତାରିଖ ବୃଦ୍ଧି କରାଯାଇଛି ।

ବାର୍ଷିକ ଜିଏସଟି ରିଟର୍ନ ଫାଇଲ ଦାଖଲର ଶେଷ ତାରିଖ ପ୍ରଥମେ ଡିସେମ୍ବର ୩୧ ତାରିଖକୁ ରଖାଯାଇଥିବା ବେଳେ ଏହାକୁ ପୁଣି ବୃଦ୍ଧି କରାଯାଇ ଫେବୃଆରୀ ୨୮ ତାରିଖକୁ ଶେଷ ତାରିଖ ଭାବେ ଘୋଷଣା କରାଯାଇଥିଲା । ହେଲେ ପୁଣି ଏବେ ଏହାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଦେଶରେ ୪ ଟି ରାଜ୍ୟ ସହିତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଏହାସହ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ଆଚରଣବିଧି ବି ଲାଗୁ ହୋଇଛି । ତେଣୁ ମନ୍ତ୍ରଣାଳୟ ଏ ସଂପର୍କରେ ସରକାରଙ୍କ ସହ ଆଲୋଚନା କରି ଶେଷ ତାରିଖ ଘୋଷଣା କରିବା ପୂର୍ବରୁ ନିର୍ବାଚନ ଆୟୋଗଙ୍କ ଅନୁମତି ନେଇଥିଲେ ।