ରୋଜଗାରରେ ଦକ୍ଷିଣ, ଜନସଂଖ୍ୟାରେ ମଧ୍ୟ ଭାରତ, ଗରିବୀରେ ବିହାର ସବୁଠାରୁ ଆଗରେ। ପଢନ୍ତୁ କେଉଁଠି କେମିତି ରହିଛି ସ୍ଥିତି…

801

କନକ ବ୍ୟୁରୋ: ଦେଶରେ ଧନୀ ଓ ଗରିବଙ୍କ ମଧ୍ୟରେ ଦିନକୁ ଦିନ ଦୂରତା ବଢିବାରେ ଲାଗିଛି । ଧନୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ସେହି ଅନୁପାତରେ ଗରିବଙ୍କ ସଂଖ୍ୟା ହ୍ରାସ ପାଉନାହିଁ । ଜନସଂଖ୍ୟା କଥା ଯଦି ଦେଖିବା ସବୁଠାରୁ ଆଗରେ ରହିଛି ମଧ୍ୟଭାରତ । ଏଭଳି କିଛି ତଥ୍ୟ ଆସିଛି ପିପୁଲସ ରିସର୍ଚ୍ଚ ଅନ ଇଣ୍ଡିଆଜ କନଜ୍ୟୁମର ଇକୋନୋମି ସର୍ଭେରୁ । ସର୍ଭେର ରିପୋର୍ଟ କହୁଛି ଯେ ଦେଶର ପୂର୍ବ ଏବଂ ମଧ୍ୟ ଭାଗରେ ଭାରତର ଅଧା ଜନସଂଖ୍ୟା ବସବାସ କରୁଛନ୍ତି । ଜାତୀୟ ଆୟରେ ଏମାନଙ୍କ ଅଂଶ ମାତ୍ର ୨୯ ପ୍ରତିଶତ । ସେହିଭଳି ଦକ୍ଷିଣ ଭାରତର ତଥ୍ୟ କିଛି ଅଲଗା କଥା କହୁଛି ।

ଜନସଂଖ୍ୟାର ତଥ୍ୟକୁ ଯଦି ଦେଖିବା ତେବେ ଏହି ମାମଲାରେ ସବୁଠାରୁ ଆଗରେ ରହିଛି ମଧ୍ୟଭାରତ ଏବଂ ପୂର୍ବଭାରତ । ପୂର୍ବ ଭାରତରେ ୨୩ ପ୍ରତିଶତ, ପଶ୍ଚିମ ଭାରତରେ ୧୪ ପ୍ରତିଶତ, ଉତ୍ତର ଭାରତରେ ୧୪ ପ୍ରତିଶତ, ଦକ୍ଷିଣ ଭାରତରେ ୨୦ ପ୍ରତିଶତ, ମଧ୍ୟ ଭାରତରେ ୨୫ ପ୍ରତିଶତ, ପୂର୍ବତ୍ତୋରରେ ୪ ପ୍ରତିଶତ ଜନସଂଖ୍ୟା ବସବାସ କରୁଛନ୍ତି ।

ସେହିଭଳି ଆୟରେ ଦକ୍ଷିଣ ଭାରତ ରାଜ୍ୟର ସ୍ଥିତି ଅନ୍ୟମାନଙ୍କ ଅପେକ୍ଷା ବେସ ଭଲ ରହିଛି । ଉତ୍ତର ଭାରତ ତୁଳନାରେ ଦକ୍ଷିଣ ଭାରତରେ ଆୟର ପରିମାଣ ଅଧିକ ରହିଛି । ଦକ୍ଷିଣ ଭାରତରେ ଆୟର ହାର ୩୦ ପ୍ରତିଶତ, ପଶ୍ଚିମ ଭାରତରେ ୨୩ ପ୍ରତିଶତ, ଉତ୍ତର ଭାରତରେ ଆୟର ହାର ୧୬ ପ୍ରତିଶତ, ମଧ୍ୟଭାରତରେ ଆୟର ହାର ୧୫ ପ୍ରତିଶତ, ପୂର୍ବଭାରତରେ ଆୟର ହାର ୧୪ ପ୍ରତିଶତ, ପୂର୍ବତ୍ତୋରରେ ଆୟର ହାର ୩ ପ୍ରତିଶତ ରହିଛି । ସର୍ଭେରୁ ଏହା ମଧ୍ୟ ଜଣାପଡିଛି ଯେ ଉଚ୍ଚ ଆୟ କରୁଥିବା ରାଜ୍ୟରେ ଧନୀଙ୍କ ସଂଖ୍ୟାରେ ୮.୮ ପ୍ରତିଶତ ବୃଦ୍ଧି ହୋଇଛି । ସେହିଭଳି ଗରିବଙ୍କ ସଂଖ୍ୟା ମାତ୍ର ୧.୧ ପ୍ରତିଶତ କମିଛି ।

ଗରିବଙ୍କ କଥା ଯଦି ଦେଖିବା ଧନୀ ଏବଂ ଗରିବ ତାଲିକାରେ ବିହାର, ଝାଡଖଣ୍ଡ ଏବଂ ଓଡିଶାର ସ୍ଥିତି ବେସ ଚିନ୍ତାଜନକ । ସବୁଠାରୁ ଅଧିକ ଗରିବ ଏହି ସବୁ ରାଜ୍ୟରେ ରହିଛନ୍ତି । ବିହାରରେ ଗରିବୀର ହାର ୭.୪ ପ୍ରତିଶତ ଥିବା ବେଳେ ଉତ୍ତରପ୍ରଦେଶରେ ଏହି ହାର ୬.୧ ପ୍ରତିଶତ, ପଶ୍ଚିମବଙ୍ଗରେ ଏହା ୫ ପ୍ରତିଶତ, ମଧ୍ୟପ୍ରଦେଶରେ ହାର ୪.୩ ପ୍ରତିଶତ, ଓଡିଶାରେ ଏହାର ହାର ୨.୬ ପ୍ରତିଶତ, ତାମିଲନାଡୁରେ ଗରିବୀ ହାର ୨.୫ ପ୍ରତିଶତ, ମହାରାଷ୍ଟ୍ରରେ ଗରିବୀ ହାର ୨.୪ ପ୍ରତିଶତ, ଛତିଶଗଡ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶରେ ଗରିବୀ ଦର ୨ ପ୍ରତିଶତ ଲେଖାଁଏ ରହିଛି । ସେହିଭଳି ଅନ୍ୟରାଜ୍ୟମାନଙ୍କରେ ଏହି ହାର ୮.୯ ପ୍ରତିଶତ ରହିଛି । ଏହିଭଳି ଭାବେ ଧନୀ ଅଧିକ ଧନୀ ହେଉଛନ୍ତି କିନ୍ତୁ ଗରିବୀ କମିବାର ନାଁ ନେଉନାହିଁ ।