ବନ୍ୟା ଛାଡିଲା ହେଲେ ବଢିଲା ଦୁର୍ଦ୍ଦଶା: ଉତରାଖଣ୍ଡରେ ପ୍ରକୃତିର ତାଣ୍ଡବ ପରେ ଧିରେ ଧିରେ ସୁଧୁରୁଛି ସ୍ଥିତି

64

କନକ ବ୍ୟୁରୋ: ବର୍ଷା, ବନ୍ୟା ଓ ଭୂସ୍ଖଳନ ପରେ ଏବେ ବିଗିଡି ଯାଇଛି ଉତରାଖଣ୍ଡର ସ୍ଥିତି । ବନ୍ୟାପାଣି ଛାଡିଛି, ହେଲେ ବଢି ଯାଇଛି ଲୋକଙ୍କ ଦୁର୍ଦ୍ଦଶା । ରାଜ୍ୟର ଏଭଳି ସ୍ଥିତି ଭିତରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଉତରାଖଣ୍ଡ ଗସ୍ତ କରି ଆକାଶମାର୍ଗରୁ ସ୍ଥିତି ପରଖିଛନ୍ତି । ରାଜ୍ୟରେ ହୋଇଥିବା ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା ୬୪ ରେ ପହଂଚିଛି ।

ଉତରାଖଣ୍ଡ ରେ ବନ୍ୟା ଛାଡିଚି । ହେଲେ ବଢିଯାଇଛି ଲୋକଙ୍କ ଦୁର୍ଦ୍ଦଶା । ବନ୍ୟା ପାଣି ଛାଡିବା ପରେ ଲୋକଙ୍କ ଘର ଦ୍ୱାର ସବୁ ନଷ୍ଟ ହୋଇଯାଇଛି । ସେପଟେ ଭୂସ୍ଖଳନ ପାଇଁ ଅନେକ ସ୍ଥାନରେ ମାଟିରେ ମିଶି ଯାଇଛି ଘର । ଏବେ ବି ଅନେକ ସ୍ଥାନରେ ଫସିରହିଛନ୍ତି ଲୋକ । ବାୟୁସେନା ଓ ଏନଡିଆରଏଫ ପକ୍ଷରୁ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ରାଜ୍ୟରେ ବାଦଲ ଫଟା ବର୍ଷା ପାଇଁ ବନ୍ୟା ଆସିବା ସହ ଅନେକ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଥିଲା । ପ୍ରକୃତିର ଏହି ତାଣ୍ଡବ ପାଇଁ ବର୍ତମାନ ସୁଦ୍ଧା ୬୪ ରୁ ଅଧିକ ଜୀବନ ଗଲାଣି । ସେହପରି ୧୧ ରୁ ଅଧିକ ଲୋକ ଏବେ ମଧ୍ୟ ନିଖୋଜ ରହିଥିବା ସୂଚନା ମିଳିଛି ।

ସେପଟେ ଉତରାଖଣ୍ଡର ସ୍ଥିତି ଦେଖିବା ପାଇଁ ରାଜ୍ୟରେ ପହଁଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଂଚଳର ସମିକ୍ଷା କରିଛନ୍ତି ଗୃହମନ୍ତ୍ରୀ । ରାଜ୍ୟରେ ୩୫୦୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ଏବଂ ଆବଶ୍ୟକ ମୁତାବକ ରିଲିଫ ମଧ୍ୟ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଉତରାଖଣ୍ଡରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଏବେ ବି ସେଠାରେ ଜାରି ରହିଛି ଉଦ୍ଧାର କାମ । ଏଥିରେ ୧୭ ଟି ଏନଡିଆରଏଫ ଟିମ୍, ୭ ଟି ଏସଡିଆରଏଫ ଓ ୫ ହଜାର ପୋଲିସ ବାହିନୀଙ୍କୁ ମୁତୟନ କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଚାରିଧାମ ଯାତ୍ରାକୁ ସ୍ଥଗିତ କରାଯାଇଛି ।