ବିଧାୟକ ଦଳ ଦୁଇ ଫାଳ ! ପର୍ଯ୍ୟବେକ୍ଷକଙ୍କୁ ଏକତା ଦେଖାଇବା ପରେ କଂଗ୍ରେସରେ ଫାଟ

30

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସର ସ୍ଥିତି ପରଖିବାକୁ ଆସିଥିବା ପର୍ଯ୍ୟବେକ୍ଷକଙ୍କୁ ଭେଟିଲେ ବିଧାୟକ ଦଳ । ଦେଖାଇଲେ ଏକତା । ଏକ ସ୍ୱରରେ ନେତୃତ୍ୱ ପରିବର୍ତ୍ତନ ନେଇ ରଖିଲେ ଦାବୀ । ଏପରିକି ବର୍ତ୍ତମାନ ପରିସ୍ଥିତିରେ କିଏ ରାଜ୍ୟ କଂଗ୍ରେସର ମୁଖିଆ ହେଲେ ସ୍ଥିତିରେ ସୁଧାର ଆସିବ ତାକୁ ନେଇ ଆଲୋଚନା ମଧ୍ୟ କଲେ ।

କିନ୍ତୁ ଏହାର କେତେ ଘଂଟା ପରେ ପୁଣି ହୋଟେଲରେ କେନ୍ଦ୍ରୀୟ ନେତାଙ୍କୁ ଭେଟିଲେ ଦୁଇ ବିଧାୟକ ଯାକବ ପ୍ରଧାନ ଓ କୃଷ୍ଣ ଶଗରିଆ । ଆଉ ସାଙ୍ଗରେ ଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ତେବେ ଏହି ନେତା କେନ୍ଦ୍ରୀୟ ଟିମକୁ ଦ୍ୱିତୀୟ ଥର କାର୍ହିକି ଭେଟିଲେ ତାକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ । ଆଉ ଏହି ନେତାଙ୍କ ପରସ୍ପର ବିରୋଧୀ ପ୍ରତିକ୍ରିୟା ବୟାନ କରୁଛି ଏହି ଘଟଣା ପଛର ଗୁମର ।

ସୂଚନା ଅନୁସାରେ ପଂଚାୟତ ନିର୍ବାଚନ ଫଳାଫଳ ଆଧାରରେ ସଭାପତି ପଦ ପାଇଁ ଦାବୀ କରୁଛନ୍ତି ଏହି ତିନି ନେତା । କିନ୍ତୁ ବିଧାୟକ ଦଳ ସହ ମିଶି ଏକତା କଥା କହିଥିବା ଏହି ନେତାଙ୍କ ୟୁ-ଟର୍ଣ୍ଣକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଅନ୍ୟ ବିଧାୟକ ।

ପରିବର୍ତ୍ତନ ନିଶ୍ଚିତ । ହେଲେ ଏହା ପୂର୍ବରୁ ନୂଆ ସଭାପତି ଚୟନ ନେଇ ବିଧାୟକ ଦଳ ଦୁଇ ଭାଗ ହେବା ଅଡୁଆ ବଢେଇଦେଇଛି । ଏପରି ସ୍ଥିତିରେ ନୂଆ ନାଁ ଉପରେ ମୋହର ମାରି ଦଳୀୟ କନ୍ଦଳ ଉପରେ ଅଙ୍କୁଶ ଲଗାଇବା ହାଇକମାଣ୍ଡଙ୍କ ପାଇଁ ମୁଣ୍ଡବ୍ୟଥା ବଢେଇପାରେ ।