ଦିଲ୍ଲୀ ଓ ମୁମ୍ବାଇରେ ତଳ ମୁହାଁ ହେଲା କରୋନା ମିଟର । ତୃତୀୟ ଲହର ସଂକ୍ରମଣ ଶୀର୍ଷକୁ ଛୁଇଁବା ପରେ ମାମଲା ଖସୁଥିବା ଚର୍ଚ୍ଚା

183

କନକ ବ୍ୟୁରୋ : ଦେଶର ଦୁଇ ପ୍ରମୁଖ ସହର ଦିଲ୍ଲୀ ଓ ମୁମ୍ବାଇରେ ଦୈନିକ ସଂକ୍ରମଣ କମିବାରେ ଲାଗିଛି । ଯେଉଁ ଦୁଇ ସହରରେ ଦେଶରୁ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ, ସେହି ସହରରେ ସଂକ୍ରମଣ କମିବା ଏକ ଆଶ୍ୱସ୍ତିକର ଖବର । ମୁମ୍ବାଇରେ କରୋନା ସଂକ୍ରମଣ ତଳମୁହାଁ ହେଉଛି । ଲଗାତାର ୩ ଦିନ ହେଲା ଦୈନିକ ସଂକ୍ରମଣର ମିଟର ଖସିବାରେ ଲାଗିଛି । ଗତ ୨୪ ଘଂଟାରେ ମୁମ୍ବାଇରେ ୧୦ ହଜାର ୬୬୧ ନୂଆ ମାମଲା ଚିହ୍ନଟ ହୋଇଛି । ଦିନକ ପୂର୍ବରୁ ଅର୍ଥାତ ଶୁକ୍ରବାର ମୁମ୍ବାଇରେ ୧୧ ହଜାର ୩୧୭ ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ଗୁରୁବାର ୧୩ ହଜାର ୭୦୨ ଓ ବୁଧବାର ୧୬ ହଜାର ୪୨୦ ନୂଆ ମାମଲା ଆସିଥିଲା । କରୋନା ସଂକ୍ରମଣର ଏହି ମିଟର ଦର୍ଶାଉଛି, ମୁମ୍ବାଇରେ ଦୈନିକ ସଂକ୍ରମଣ ପାଖ ପାଖି ୧ ହଜାର ତଳକୁ ଖସୁଛି ।

ସେପଟେ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ୨୪ ଘଂଟାରେ ଦିଲ୍ଲୀରେ ୨୦ ହଜାର ୭୮୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ ଶୁକ୍ରବାର ଚିହ୍ନଟ ହୋଇଥିଲେ ୨୪ ହଜାର ୩୮୩ ଆକ୍ରାନ୍ତ ଓ ଗୁରୁବାର ଆସିଥିଲା ୨୮ ହଜାର ୮୬୭ ନୂଆ ମାମଲା । ଅର୍ଥାତ୍ ଦୈନିକ ସଂକ୍ରମଣ ଦିଲ୍ଲୀରେ ପାଖାପାଖି ୪ ହଜାର କମୁଛି । ମୁମ୍ବାଇ ଓ ଦିଲ୍ଲୀରେ ଲଗାତାର ତିନି ଦିନ ହେଲା ଦୈନିକ ଆକ୍ରାନ୍ତ ସଂଖ୍ୟା ଖସିବାରେ ଲାଗିଛି । ତେଣୁ ଚର୍ଚ୍ଚା ହେଉଛି, ତୃତୀୟ ଲହର ସଂକ୍ରମଣ ଶୀର୍ଷକୁ ଛୁଇଁବା ପରେ ଏବେ କରୋନା ମାମଲା ତଳକୁ ଖସୁଛି ।