ବରଗଡରେ ଠାକୁର ଜମିକୁ ବି ଛାଡିଲେନି ଦଲାଲ । ମାଆ ସମଲେଶ୍ୱରୀଙ୍କୁ ଜମିକୁ ନିଜ ନାଁରେ କରିନେଇଛନ୍ତି ମାଫିଆ । 

57

କନକ ବ୍ୟୁରୋ: ବରଗଡ଼ ସମଲେଶ୍ୱରୀ ମନ୍ଦିର ନାମରେ ଥିବା ଜମିକୁ କିଛି ଖଲ ବ୍ୟକ୍ତି ବିକ୍ରି ମସୁଧା ଚଳାଇ ଥିବା ଅଭିଯୋଗ ହୋଇଛି। ଏନେଇ ସମଲେଶ୍ବରୀ ମନ୍ଦିର କମିଟି ପକ୍ଷରୁ ବରଗଡ଼ ଉପଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ବରଗଡ଼ ସମଲେଶ୍ବରୀ ମନ୍ଦିରର ଜାଗା ସହରର ବିଭିନ୍ନ ସ୍ଥାନରେ ରହିଥିବା ବେଳେ ସେଥିରୁ କିଛି ଜାଗାକୁ ନାମ ପରିବର୍ତ୍ତନ କରି ବିକ୍ରି ଉଦ୍ୟମ ଚାଲିଥିବା ଜଣାପଡିଛି। ତେବେ ଏହାର ତଦନ୍ତ କରିବା ପରେ ଦୋଷୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରଗଡ଼ ଉପଜିଲ୍ଲାପାଳ କହିଛନ୍ତି।

ବରଗଡ ସକ୍ରିୟ ଜମି ଦଲାଲ । କେତେବଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଜମିକୁ ହାତେଇ ନେଉଛନ୍ତି ତ କେତେବଳେ ସରକାରୀ ଜମିର କିସମ ବଦଳାଇ ବିକ୍ରି କରୁଛନ୍ତି । ବିଭାଗୀୟ ଅଧିକାରୀ, କର୍ମଚାରୀଙ୍କୁ ହାତ ବାରିସ କରି ଠାକୁରଙ୍କ ଭୂ-ସଂପତିକୁ ମଧ୍ୟ ହଡପ କରିବାକୁ ପଛଘୁଂଚା ଦେଉନାହାନ୍ତି । ଅଭିଯୋଗ ଅନୁସାରେ, ଶ୍ରୀ ଶ୍ରୀ ଗ୍ରାମଦେବୀ ବିଜେ ଗାଁ ନାଁରେ ଥିବା ଜମିକୁ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି କିସମ ପରିବର୍ତନ କରି ନିଜ ନାଁରେ କରି ନେଇଛନ୍ତି । ଆଉ ସମଲେଶ୍ୱରୀଙ୍କ ଜମିକୁ ବିକ୍ରି କରିବା ପାଇଁ ଯୋଜନା କରୁଥିବା ନେଇ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ବରଗଡ ତଳିପଡା ଅଂଚଳର ଲୋକେ ।

ଉପଜିଲ୍ଲାପାଳଙ୍କ ଅଦାଲତରେ ପିଟିସନ ଦାୟର ହୋଇଛି । ବରଗଡ ତହସିଲ ଅନ୍ତର୍ଗତ ଭଟଲିରୋଡ ଠାରେ ଥିବା ଖାତା ନମ୍ବର ୨୫-୨୫ରେ ଶ୍ରୀ ଶ୍ରୀ ଗ୍ରାମଦେବୀ ବିଜେ ଗାଁରେ ଥିବା ଜାଗାର ମାଲିକାନା ପରିବର୍ତନ କରାଯାଇଛି । ଏହା ପଛରେ ଏକ ବଡ ଧରଣର ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି । ସେପଟେ ଉପଜିଲ୍ଲାପାଳ ଶ୍ରଦ୍ଧାଳୁଙ୍କ ଆବେଦନ ପତ୍ର ପାଇଛନ୍ତି, ବିଚାର କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଅନେକ ବ୍ୟକ୍ତି, ଜମି ଦଲାଲଙ୍କ ଷଡଯନ୍ତ୍ରର ଶିକାର ହେଉଥିବା ଖବର ଗଣମାଧ୍ୟମରେ ପ୍ରସାରଣ ହୋଇଛି । ଏହି ଜମି କେଳେଙ୍କାରୀ ପାଇଁ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ବି ଜେଲ ଯାଇଛନ୍ତି । ତେବେ ବରଗଡରେ ମାଆ ସମଲେଶ୍ୱରୀଙ୍କ ଜମି ହଡପ କରିଥିବା ବ୍ୟକ୍ତିଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତା ଉପରେ ସମସ୍ତଙ୍କ ନଜର ରହିଛି ।