୨୭ ବର୍ଷରେ ଶୁଖିଯିବ ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର! ୨୦୫୦ ସୁଦ୍ଧା ଲୋକଙ୍କୁ ମିଳିବ ନାହିଁ ପାଣି ।

270

କନକ ବ୍ୟୁରୋ: ହିମାଳୟରୁ ବାହାରିଥିବା ୩ ପ୍ରମୁଖ ନଦୀ ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ନଦୀର ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି । ଏଭଳି ସ୍ଥିତି ଲାଗିରହିଲେ ୨୦୫୦ ଯାଏ ୧୭୦ରୁ ୨୪୦ କୋଟି ଯାଏ ସହରର ଲୋକଙ୍କୁ ପାଣି ମିଳିବା ବନ୍ଦ ହୋଇଯିବ । ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ କିଛି ଏଭଳି ଚେତାବନୀ ଦେଇଛନ୍ତି । ବଢୁଥିବା ତାପମାତ୍ରା ଯୋଗୁ ହିମାଳୟର ଗ୍ଲାସିୟର ତରଳିବାରେ ଲାଗିଛି । ଏହାକୁ ନେଇ ସେ ଏହି ଚେତାବନୀ ଦେଇଛନ୍ତି ।

ଆଣ୍ଟୋନିଓ କହିଛନ୍ତି, ପୃଥିବୀରେ ଗ୍ଲାସିୟର ମଣିଷ ଜୀବନ ପାଇଁ ବେସ ଜରୁରୀ । ଏହି ସମୟରେ ପୃଥିବୀରେ ମାତ୍ର ୧୦ ପ୍ରତିଶତ ଗ୍ଲାସିୟର ରହିଛି । ଗ୍ଲୋବାଲ ୱାର୍ମିଂ ଯୋଗୁ ଦ୍ରୁତ ଗତିରେ ଏହା ହ୍ରାସ ହେବାରେ ଲାଗିଛି । ପ୍ରତ୍ୟେକ ବର୍ଷ ଆଣ୍ଟାର୍କଟିକାରେ ୧୫ଶହ କୋଟି ଟନ ବରଫ ତରଳିବାରେ ଲାଗିଛି । ଗ୍ରୀନଲାଣ୍ଡରେ ୨୭ ଶହ କୋଟି ଟନ ବରଫ ତରଳିବାରେ ଲାଗିଛି । ଏହି ଦୁଇଟି ସ୍ଥାନ ପରେ ସବୁଠାରୁ ଅଧିକ ବରଫ ହିମାଳୟରେ ରହିଛି । ତେବେ ଏହା ଏବେ ତରଳିବାରେ ଲାଗିଛି । ଏସିଆ ମହାଦେଶରୁ ହିମାଳୟରୁ ବାହରୁଥିବା ୧୦ଟି ପ୍ରମୁଖ ନଦୀ ଜଳ ଯୋଗାଉଛନ୍ତି । ପାଖପାଖି ୧୩୦ କୋଟି ଲୋକ ପାଣି ପିଇବା ପାଇଁ ନଦୀର ଜଳକୁ ବ୍ୟବହାର କରୁଛନ୍ତି । ବିଶେଷ କରି ଗଙ୍ଗା, ସିନ୍ଧୁ, ବ୍ରହ୍ମପୁତ୍ର ନଦୀର ଜଳସ୍ତର ଉପରେ ତାପମାତ୍ରା ବୃଦ୍ଧିର ପ୍ରଭାବ ପଡୁଛି । ଏହାଛଡା ଯଦି ଅଧିକ ଗ୍ଲାସିୟର ତରଳେ ତେବେ ପାକିସ୍ତାନ ଏବଂ ଚୀନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ।

୨୦୫୦ ଅର୍ଥାତ ଆଗାମୀ ୨୭ ବର୍ଷ ମଧ୍ୟରେ ଶୁଖିଯିବ ଦେଶର ପ୍ରମୁଖ ନଦୀ ! ଏଭଳି ଚେତାବନୀ ଆସିବା ପରେ ନିହାତି ପ୍ରଶ୍ନ ଉଠୁଛି କାହିଁକି? କହିରଖିବାକୁ ଚାହୁଁବୁ ଯେ ଗଙ୍ଗା ଦେଶର ଏକ ପ୍ରମୁଖ ନଦୀ । ଏହା ପ୍ରାୟ ୨୫ ଶହ କିଲୋମିଟର ଯାଏ ବ୍ୟାପିଛି । ୪୦ କୋଟି ଲୋକ ଏହାର ଜଳ ପାଇଁ ଉପକୃତ ହେଉଛନ୍ତି । ଏଥିରେ ଗଙ୍ଗୋତ୍ରୀ ଗ୍ଲାସିୟର ବି ରହିଛି । ତେବେ ଏହି ଗ୍ଲାସିୟର ଏବେ ବିପଦରେ । ଗତ ୮୭ ବର୍ଷ ମଧ୍ୟରେ ୩୦ କିଲୋମିଟର ଲମ୍ବା ଗ୍ଲାସିୟର ମଧ୍ୟରୁ ଅନେକ ପରିମାଣର ଗ୍ଲାସିୟରର ଅଂଶ ତରଳିସାରିଛି । ଭାରତର ହିମାଳୟ କ୍ଷେତ୍ରରେ ୯୫୭୫ ଗ୍ଲାସିୟର ରହିଛି । ଏଥିରେ ୯୬୮ ଗ୍ଲାସିୟର କେବଳ ଉତ୍ତରାଖଣ୍ଡରେ ରହିଛି । ଗଙ୍ଗା, ଘାଘରା, ମନ୍ଦାକିନୀ, ସରସ୍ୱତୀ ଭଳି ନଦୀ ଭାରତର କ୍ଷେତ୍ରୀୟ ଅଞ୍ଚଳକୁ ଜଳ ଯୋଗାଉଛନ୍ତି ଏହା ଦ୍ୱାରା ଚାଷ କାମ ବି ହେଉଛି । ତେବେ ଯେଉଁଭଳି ଭାବେ ତାପମାତ୍ରା ବୃଦ୍ଧି ହେଉଛି ତାର ପ୍ରଭାବ ନଦୀର ଜଳସ୍ତର ଉପରେ ପଡୁଛି । ବିଭିନ୍ନ ନଦୀର ଜଳସ୍ତର ହ୍ରାସ ହେବାରେ ଲାଗିଛି । ନଦୀକୁ ଜଳ ଯୋଗାଉଥିବା ଗ୍ଲାସିୟର ନଷ୍ଟ ହେବାରେ ଲାଗିଛି ଯାହା ଫଳରେ ଜଳ ପ୍ରବାହ ହ୍ରାସ ପାଉଛି ।