କନକ ବ୍ୟୁରୋ: ଓଡିଶାର ମାଟି ତଳେ ଥିବା ଲୁହା ପଥର ଉତୋଳନରେ ବ୍ୟାପକ ଦୁନୀତି ହେଉଥିବା, ବାରମ୍ବାର ଅଭିଯୋଗ ହେଉଛି । ହେଲେ, ମାଟି ତଳୁ କେତେ ଲୁହା ପଥର ଉତୋଳନ କରାଯିବ ସେଥିପାଇଁ ସୀମା ନିର୍ଦ୍ଦାରଣ କରାଯାଇନଥିବାରୁ, ଅଭିଯୋଗକୁ ଖଣି ଲିଜଧାରୀ କମ୍ପାନୀ ଖାତିର କରୁ ନାହାନ୍ତି । ଆଉ ମନଇଛା ଉତୋଳନ କରୁଛନ୍ତି । ଯାହା ଉପରେ ରୋକ ଲଗାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ । ଆଉ ଆଜି ଓଡିଶା ଗସ୍ତରେ ଆସିଥିବାବେଳେ ରାଜ୍ୟ ସରକାରଙ୍କୁ ସତର୍କ କରିଛନ୍ତି ।

Advertisment

ଲୁହା ପଥର ଖଣି ଉତୋଳନରେ ସୀମା ନିର୍ଦ୍ଧାରଣ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ଓଡିଶା ଗସ୍ତରେ ଆସିଥିବାବେଳେ ସତର୍କ କରିଛନ୍ତି । ପୁରୀରେ ଆୟୋଜିତ ଚାଷୀ ସମାବେଶରେ ଯୋଗ ଦେବାକୁ ଆସିଥିବା ପ୍ରଶାନ୍ତ ଭୂଷଣ, ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତିି, ଓଡିଶାରେ ବେଲଗାମ ଭାବେ ଲୁହା ପଥର ଉତ୍ତୋଳନ କରାଯାଉଛି । ଯଦି ଏଥିରେ ରୋକ ନଲାଗେ ତାହେଲେ ଆଗାମି ୨୦ବର୍ଷରେ ମାଟି ତଳୁ ସରିଯିବ ଲୁହା ପଥର । ସେହିପରି ବେଦାନ୍ତଙ୍କ ଜମି ଦେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଶାନ୍ତ ଭୂଷଣ ।

ରାଜ୍ୟର ଲୁହାପଥର ଖଣି ଉତୋଳନ ଉପରେ କଟକଣା ଲଗାଇବା ଦାବିରେ ପ୍ରଶାନ୍ତ ଭୂଷଣ ପୂର୍ବରୁ ସୁି୍ରପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ କୋର୍ଟରେ ଦର୍ଶାଇଥିଲେ..
- ରାଜ୍ୟରେ ୪ ହଜାର ୭୪୮ ମିଲିୟନ ଟନ୍ ଲୁହାପଥର ଗଛିତ ଅଛି
- ମାସିକ ୨୨୭ ମିଲିୟନ ଟନ୍ ଉତ୍ତୋଳନ କରାଯାଉଛି
- ଏମିତି ଉତ୍ତୋଳନ ଚାଲିଲେ ୨୦ବର୍ଷରେ ଲୁହା ପଥର ସରିଯିବ

କିନ୍ତୁ ସରକାରଙ୍କ ପକ୍ଷ ରଖି ଆଇନଜୀବୀ ରାକେଶ ଦ୍ୱିବେଦୀ କହିଥିଲେ, ରାଜ୍ୟରେ ନୂଆ ନୂଆ ଖଣିର ଉତ୍ସ ଚିହ୍ନଟ କରାଯାଉଛି । ତେଣୁ ଗଛିତ ଲୁହା ପଥର ଖଣିର ପରିମାଣ ବଢ଼ି ବଢ଼ି ଚାଲିଛି । ବର୍ତ୍ତମାନ ରାଜ୍ୟର ମାଟି ତଳେ ୯ ହଜାର ୨୨୦ ମିଲିୟନ ଟନ୍ ଲୁହା ପଥର ରହିଛି ।

ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶାନ୍ତ ଭୂଷଣଙ୍କ ଆବେଦନକୁ ଗ୍ରହଣ କରିବା ସହ, ଗତ ମାସରେ ମାମଲାର ଶୁଣାଣି କରି, ଖଣି ଉତୋଳନକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ସରକାରଙ୍କୁ ଜବାବ ମାଗିଥିଲେ । କୋର୍ଟ ସରକାରଙ୍କୁ କହିଥିଲେ, ମାଟି ତଳେ କେତେ ଲୁହା ପଥର ଗଛିତ ଅଛି ? ଗଛିତ ଖଣିରୁ ବାର୍ଷିକ କେତେ ପ୍ରତିଶତ ଉତ୍ତୋଳନ କରାଯାଉଛି, ୮ସପ୍ତାହ ଭିତରେ ତାର ହିସାବ ଦିଅ ।