ବଜେଟରେ ଏମିତି ବି ହୋଇଥିଲା…. ବିବାହିତ, ଅବିବାହିତଙ୍କ ପାଇଁ ଅଲଗା ଟାକ୍ସ ସ୍ଲାବ ଘୋଷଣା କରିଥିଲେ ଅର୍ଥ ମନ୍ତ୍ରୀ ।

192

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ତାରିଖରେ ସାଧାରଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ସଂସଦରେ ଅର୍ଥମନ୍ତ୍ରୀ ଆଗାମୀ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ । କରଦାତା ଆଶା କରୁଛନ୍ତି ଯେ ସରକାର ବଜେଟରେ ତାଙ୍କ ପାଇଁ କିଛି ରିହାତି ଘୋଷଣା କରିପାରନ୍ତି । ସ୍ୱାଧୀନତା ପରଠାରୁ ଆଲଗା ଅଲଗା ଦଳର ସରକାର ବଜେଟ ନେଇ ଅନେକ ବଡ ବଡ ନିଷ୍ପତ୍ତି ନେଇଛନ୍ତି । କିଛି ବଜେଟରେ କରଦାତାଙ୍କୁ ରିହାତି ମିଳିଥିବା ବେଳେ କିଛି ବଜେଟରେ କରଦାତାଙ୍କ ଉପରେ ବୋଝ ବଢିଯାଇଛି । ତେବେ ଏହାସବୁ ମଧ୍ୟରେ କେନ୍ଦ୍ରୀୟ ବଜେଟରେ ଏଭଳି ମଧ୍ୟ ଘୋଷଣା କରାଯାଇଛି ଯେତେବେଳେ ବିବାହିତ ଏବଂ ଅବିବାହିତଙ୍କ ପାଇଁ ଅଲଗା ଅଲଗା ଆୟକର ସୀମା ଘୋଷଣା କରାଯାଇଛି ।

୧୯୫୫-୫୬ ମସିହାର କେନ୍ଦ୍ରୀୟ ବଜେଟ । ସେତେବେଳେ ଦେଶର ତତକାଳୀନ ଅର୍ଥମନ୍ତ୍ରୀ ସିଡି ଦେଶମୁଖ ବଜେଟ ପେଶ କରିଥିଲେ । ସେ ବଜେଟରେ ବିବାହିତ ଏବଂ ଅବିବାହିତଙ୍କ ପାଇଁ ଅଲଗା ଟାକ୍ସ ସ୍ଲାବର ଘୋଷଣା କରିଥିଲେ । ସରକାର ଫ୍ୟାମେଲି ସ୍କିମର ଶୁଭାରମ୍ଭ କରିବା ପାଇଁ ଟାକ୍ସ ସ୍ଲାବରେ ପରିବର୍ତ୍ତନ କରିଥିଲେ । ଅର୍ଥମନ୍ତ୍ରୀ ସିଡି ଦେଶମୁଖ ବିବାହିତଙ୍କ ପାଇଁ ଟାକ୍ସ ସ୍ଲାବକୁ ୧୫ ଶହ ଟଙ୍କାରୁ ବୃଦ୍ଧି କରି ୨ହଜାର କରିଦିଆଯାଇଥିଲା । ସେହିଭଳି ଅବିବାହିତଙ୍କ ପାଇଁ ଟାକ୍ସ ସ୍ଲାବକୁ ୧୦୦୦ ଟଙ୍କା କରାଯାଇଥିଲା ।

ବିବାହିତ-ଅବିବାହିତଙ୍କ ପାଇଁ ଅଲଗା ଅଲଗା ଟାକ୍ସ ସ୍ଲାବ ଯୋଜନା ଆୟୋଗଙ୍କ ସୁପାରିଶ ଆଧାରରେ କରାଯାଇଥିଲା । ଏହା ସହ ବଜେଟରେ ଆୟକର ଉପରେ ଅଧିକତମ ଦର ପାଞ୍ଚ ଅଣାକୁ କମାଇ ୪ ଅଣା କରିଦିଆଯାଇଥିଲା । ୧୯୫୫-୫୬ର ବଜେଟରେ ପ୍ରଥମ ଥର ସ୍କିମର ହିନ୍ଦୀ ଭର୍ସନକୁ ଅଣାଯାଇଥିଲା ।

ଏହି ବଜେଟର ଟାକ୍ସ ସ୍ଲାବକୁ ଯଦି ଦେଖିବା ତେବେ ସେତେବେଳେ ୦ରୁ ୧୦୦୦ ଟଙ୍କାର ରୋଜଗାର ଉପରେ ଟାକ୍ସ ଦିଆଯାଉନଥିଲା । ୧୦୦୧ରୁ ୫୦୦୦ ଟଙ୍କା ଉପରେ ଏକ ଟଙ୍କା ଉପରେ ୯ପଇସା ଟାକ୍ସ ଦେବାକୁ ପଡୁଥିଲା । ୫୦୦୧ରୁ ୭୫୦୦ ଟଙ୍କାର ରୋଜଗାର ଉପରେ ଏକ ଅଣା ୯ ପଇସା ଦେବାକୁ ପଡୁଥିଲା । ସେହିଭଳି ୭,୫୦୧ଟଙ୍କାରୁ ନେଇ ୧୦ ହଜାର ଟଙ୍କା ଉପରେ ଦୁଇ ଅଣା ଏବଂ ୩ ପଇସାର ଟାକ୍ସ ଦେବାକୁ ପଡୁଥିଲା । ୧୦,୦୦୧ରୁ ୧୫,୦୦୦ ଟଙ୍କାର ଆୟ ଉପରେ ତିନି ଅଣା ନ ପଇସାର ଟାକ୍ସ ଦେବାକୁ ପଡୁଥିଲା । ୧୫,୦୦୧ ଟଙ୍କାରୁ ଅଧିକ ଆୟ ଉପରେ ଚାରିଅଣା ଟାକ୍ସ ଦେବାକୁ ପଡୁଥିଲା ।